ଟେଷ୍ଟରୁ କେବେ ସନ୍ନ୍ୟାସ ନେବେ ରୋହିତ, ପୂର୍ବତନ ଚୟନକର୍ତ୍ତା କଲେ ଭବିଷ୍ୟତବାଣୀ

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ଶୋଚନୀୟ ପ୍ରଦର୍ଶନ ପରେ ରୋହିତ ଶର୍ମାଙ୍କ ଦଳରେ ସ୍ଥାନ ମିଳିବା ନେଇ ପ୍ରଶ୍ନ ଉଠିଛି। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ ନା ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବାହାରିଲା ନା ଅଧିନାୟକ ଭାବେ ସେ ସଫଳ ହେଲେ। ଏମିତିରେ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ରୋହିତ ଶର୍ମାଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଯଦି ଭାରତ ଏହି ସିରିଜ୍‌ ହାରେ ଓ ବ୍ୟାଟର ଭାବେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହେ ତେବେ ବିସିସିଆଇ ତାଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇପାରେ। ଏମିତିରେ ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଭବିଷ୍ୟତର ଅଧିନାୟକ ନେଇ ମଧ୍ୟ ପ୍ରସଙ୍ଗ ଉଠିଲାଣି। 

Also read: ବର୍ଡର-ଗାଭାସ୍କର ଟ୍ରଫିରେ ସମାପ୍ତ ହୋଇଥିଲା ଧୋନୀ-କୁମ୍ବଲେ-ସେହ୍ଵାଗଙ୍କ କ୍ୟାରିୟର, ଏବେ କ'ଣ ରୋହିତ-ବିରାଟଙ୍କ ପାଳି ?

ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା କୃଷ୍ଣାମାଚାରୀ ଶ୍ରୀକାନ୍ତ ବଡ଼ ବୟାନ ଦେଇ କହିଛନ୍ତି, ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ସେ ନିଜ ଆଡ଼ୁ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଯିବେ। ଶ୍ରୀକାନ୍ତ ନିଜର ୟୁଟ୍ୟୁବ୍ ଶୋରେ କହିଛନ୍ତି, ୧୦୦ ପ୍ରତିଶତ, ଆପଣଙ୍କୁ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଯଦି ରୋହିତ ଅଷ୍ଟ୍ରେଲିଆ ସିରିଜ୍‌ରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ମୋତେ ଲାଗୁଛି ସେ ନିଜ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଯିବେ ଏବଂ କେବଳ ଦିନିକିଆ ଖେଳିବେ। ସେ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଏହା ମଧ୍ୟ ଦେଖିବାକୁ ପଡ଼ିବ ଯେ, ରୋହିତଙ୍କ ବୟସ ବଢୁଛି। ସେ ଆଉ ଯୁବକ  ହୋଇ ରହି ନାହାନ୍ତି।

ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ନିରାଶଜନକ ରହିଛି। ମାତ୍ର ଶ୍ରୀକାନ୍ତଙ୍କ ମତରେ କୋହଲିଙ୍କ ବିଷୟରେ ତରବରିଆ ଭାବେ ଏହି ଧରଣର ଆଲୋଚନା କରିବା ଉଚିତ୍ ହେବନି। ମୋ ବିଚାରରେ ବିରାଟ କୋହଲି ଅଷ୍ଟ୍ରେଲିଆରେ ଫର୍ମକୁ ଫେରିବେ। ଅଷ୍ଟ୍ରେଲିଆ ହେଉଛି ତାଙ୍କ କ୍ଷେତ୍ର। କଙ୍ଗାରୁ ମାଟିରେ ସେ ସର୍ବଦା ଉନ୍ନତ ପ୍ରଦର୍ଶନ କରି ଆସିଛନ୍ତି। 

ତେଣୁ ମୋ ମତରେ ବିରାଟ କୋହଲିଙ୍କ ବିଷୟରେ ଏବେଠୁ ଏହି ଧରଣର ଆଲୋଚନା କରିବା ଉଚିତ୍ ହେବନି। ମୁଁ ଏହାକୁ ସ୍ଵୀକାର କରି ପାରିବି ନାହିଁ। ବିରାଟ କୋହଲିଙ୍କ ପାଖରେ ବହୁତ ସମୟ ରହିଛି। ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ କିମ୍ବା ଦୁଇଟି ଖରାପ ବର୍ଷ ରହିଥାଏ ବୋଲି କୃଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.