ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢ଼ିଙ୍କ ସହ କୁମ୍ଭ ନଗରୀରେ ପହଞ୍ଚି ମହାକୁମ୍ଭରେ ସ୍ନାନ କରିଛନ୍ତି। ମାଆ କୋକିଲା ବେନ୍, ଦୁଇ ପୁଅ ଆକାଶ ଓ ଅନନ୍ତ, ଦୁଇ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହିତ ମୁକେଶ ଅମ୍ବାନୀଙ୍କ ନାତି ନାତୁଣୀ ପୃଥ୍ବୀ ଓ ବେଦା, ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଏକାଠି ବୁଡ଼ ପକାଇଥିଲେ। ସଙ୍ଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ନିରଞ୍ଜନୀ ଆଖଡ଼ାର ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଗିରି ଜୀ ମହାରାଜଙ୍କ ଉପସ୍ଥିତିରେ ମା ଗଙ୍ଗାଙ୍କ ପୂଜା ପୂଜାର୍ଚ୍ଚନା କରିଥିଲେ।
ତ୍ରିବେଣୀରେ ସ୍ନାନ କରିବା ପରେ ଅମ୍ବାନୀ ପରିବାର ମହାକୁମ୍ଭରେ ନିର୍ମିତ ପରମାର୍ଥ ନିକେତନ ଆଶ୍ରମରେ ପହଞ୍ଚି ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିବା ସହିତ ପରିବାର ପକ୍ଷରୁ ଆଶ୍ରମରେ ସଫେଇ କର୍ମୀ, ନୌକା ଚାଳକ ଏବଂ ତୀର୍ଥଯାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିବାର ସଦସ୍ୟଗଣ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଅମ୍ବାନୀ ପରିବାର ପକ୍ଷରୁ ନୌକା ଚାଳକମାନଙ୍କୁ ସେମାନଙ୍କ ନିଜର ତଥା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା।