ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ୭୩ ବର୍ଷୀୟ ଫ୍ରାନଙ୍କୋଇସ ବାୟରୁ ଦେଶର ନୂଆ ପିଏମ୍ ହେବେ । ବାୟରୁ ଚଳିତ ବର୍ଷ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ମାକ୍ରୋନଙ୍କ ଘନିଷ୍ଠ ବାୟରୁଙ୍କ ଲକ୍ଷ୍ୟ ୨୦୨୪ର ବଜେଟକୁ ଆଗକୁ ବଢାଇବା ପାଇଁ ଏକ ସ୍ୱତନ୍ତ୍ର ଆଇନ ପାରିତ କରିବା ଉପରେ ରହିବ । ଏହି ବିଲ୍ ଉପରେ ସଂସଦୀୟ ଗତିରୋଧ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ମିଶେଲ ୱାର୍ନିୟର ସରକାରର ପତନ ହୋଇଥିଲା ।
୭୩ ବର୍ଷୀୟ ଫ୍ରାନଙ୍କୋଇସ ବାୟରୁ ଆଗାମୀ ଦିନରେ ନିଜ ମନ୍ତ୍ରୀଙ୍କ ଲିଷ୍ଟ ସଂସଦରେ ଉପସ୍ଥାପନ କରିବେ । କିନ୍ତୁ ତିନି ବିରୋଧୀ ଗୋଷ୍ଠୀ ଥିବା ସଂସଦରେ ଆଇନ ପାରିତ କରିବା ପାଇଁ ୱାର୍ନିୟରଙ୍କ ପରି ଆହ୍ୱାନର ସାମନା କରିବାକୁ ପଡ଼ିପାରେ । ମାକ୍ରୋନଙ୍କ ସହ ବାୟରୁଙ୍କ ଘନିଷ୍ଠତା ମଧ୍ୟ ଏକ ବଡ଼ ଆହ୍ୱାନ ହେବ ।
ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସରେ ବଢୁଥିବା ରାଜନୈତିକ ଘଟଣାକ୍ରମ ମାକ୍ରୋନଙ୍କ ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳ ଉପରେ ପ୍ରଶ୍ନ ଉଠାଇଥିଲା । ଏହାସହ ସେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ଶେଷ କରିପାରିବେ କି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଉଲ୍ଲଖେଯୋଗ୍ୟ ଯେ ୨୦୨୭ରେ ମାକ୍ରୋନଙ୍କ କାର୍ଯ୍ୟକାଳ ଶେଷ ହେବ । ଇମାନୁଏଲ ମାକ୍ରୋନ ବର୍ତ୍ତମାନ ମଧ୍ୟମର୍ଗୀୟ ମୋଡେମ (MoDem) ପାର୍ଟିର ମୁଖ୍ୟ ଅଛନ୍ତି । ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଜଣେ ଟାଣୁଆ ନେତା । ପୂର୍ବରୁ ସେ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷିଣ-ପଶ୍ଚିମରେ ସ୍ଥିତ ପଉ ସହରର ମେୟର ଥିଲେ । ୨୦୧୭ରେ ବମ୍ପର ବିଜୟ ସହ ସେ ଦେଶର ରାଷ୍ଟ୍ରପତି ହୋଇଥିଲେ ।