ତିରୁପତି ଲଡୁ ମାମଲାର ଯାଞ୍ଚ କରିବ FSSAI, ପ୍ରହ୍ଲାଦ ଯୋଶୀ କହିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ ୨୦।୯: ତିରୁପତିର ବିଶ୍ୱ ପ୍ରସିଦ୍ଧ ଭେଙ୍କଟ ସ୍ୱାମୀ ମନ୍ଦିରରେ ପ୍ରସାଦ ଲାଗି ଲଡୁ ତିଆରିରେ ପଶୁ ଚର୍ବି ବ୍ୟବାହର ଅଭିଯୋଗକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ପୁରା ପ୍ରକରଣର ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି (ଏଫଏସଏସଏଆଇ) ଦ୍ୱାରା ଯାଞ୍ଚ କରି ଉଚିତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମାମଲାର ଗହନ ଯାଞ୍ଚ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉପଲବ୍ଧି ଉପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତିରୁପତି ଲଡୁରେ ପଶୁ ଚର୍ବିର ବ୍ୟବହାର ନେଇ ପ୍ରଶ୍ନ ହେବାରୁ ନଡ୍ଡା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରୁ ସୂଚନା  ପାଇଥିବା ଓ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁଙ୍କ ସହ କଥା ହୋଇଥିବା କହିଛନ୍ତି। 

ନଡ୍ଡାଙ୍କ ଅନୁସାରେ ମୁଖ୍ୟମନ୍ତ୍ରୀ ତିରୁପତି ଲଡୁର ଯାଞ୍ଚ ରିପୋର୍ଟ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ସେୟାର କରିବାକୁ କୁହାଯାଇଛି। ଯାହା ଦ୍ୱାରା ଏହାର ପରବର୍ତ୍ତି ଯାଞ୍ଚ କରାଯାଇ ପାରିବ। ନଡ୍ଡା ଏହି ମାମଲାରେ ରାଜ୍ୟର ନିୟାମକ ସଂସ୍ଥାଙ୍କ ସହ ଖୁବ୍ ଶୀଘ୍ର କଥାବାର୍ତ୍ତା କରି ବିବାଦର ମୂଳ ପର୍ଯ୍ୟନ୍ତ ଯିବାକୁ ଭରସା ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ ଏହି ପୁରା ପ୍ରକରଣର ଏଫଏସଏସଏଆଇ ଦ୍ୱାରା ଯାଞ୍ଚ କରାଯିବ। ଥେବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.