ଦିବ୍ୟସ୍ନାନ ପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

Published By : Prameya-News7 Bureau | June 22, 2024 IST

ପୁରୀ ୨୨।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ । ଜ୍ୟେଷ୍ଠ ପୂର୍ଣ୍ଣିମୀ ବା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଉ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତଙ୍କ ମନ ଓ ପ୍ରାଣ ଭାବମୟ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଡୋର ଲାଗି, ପୁଷ୍ପାଞ୍ଜଳି ହୋଇ ୫ଟା ୨୦ରେ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ସକାଳେ ୭ଟା ୪୫ରେ ସରିଥିଲା ପହଣ୍ଡି । ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆସି ସ୍ନାନମଣ୍ଡପରେ ଅଧିଷ୍ଠିତ ହୋଇଥିଲେ । ପରେ ମଦନମୋହନ ବିଜେ ହୋଇ ୧୧ଟା ୫୦ରେ ଜଳଲାଗି ପୂଜା ଆରମ୍ଭ ହୋଇ ଅପରାହ୍ନ ୧ଟା ୧୦ରେ ସରିଥିଲା । ତେବେ ଜଳଲାଗି ପୂର୍ବରୁ ପାଗରେ ହୋଇଥିଲା ପରିବର୍ତ୍ତନ । ଏମିତି ଲାଗୁଥିଲା ସତେ ଯେମିତି ଇନ୍ଦ୍ର ଦେବତା ବୃଷ୍ଟି କରୁଛନ୍ତି । ଭକ୍ତମାନେ ବର୍ଷାରେ ଭିଜି ମହାପ୍ରଭୁଙ୍କ ଦର୍ଶନ ସହ ଆନନ୍ଦରେ ଝୁମୁଥିବାର ଦୃଶ୍ୟ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ । ତେବେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ପରେ ଦୁର୍ଲ୍ଲଭ ହାତୀବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ କଳା ଠାକୁର । 

ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ ଗରା ଓ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ସହ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା । ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ଆଦ୍ୟ ଯାତ୍ରା ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ହୋଇଛି ଲୋକାରଣ୍ୟ ।

ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଶ୍ରୀଜୀଉଙ୍କ ଧୂପ ଭୋଗ ହୋଇଥିଲା । ପରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତଙ୍କ ଦ୍ବାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଛି । ସକାଳେ ସ୍ନାନମଣ୍ଡପ ତଳେ ହାତୀବେଶ ଓ ଭୋଗ ପରେ ଭକ୍ତମାନେ ୩ରୁ ୪ ଘଣ୍ଟା ଶ୍ରୀବିଗ୍ରହଙ୍କୁ ଅତି ନିକଟରୁ ଦର୍ଶନ କରିଥିଲେ । ଏଥିପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ବର୍ଷା ପରେ ଖରା ଓ ଗୁଳୁଗୁଳି ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା ମଧ୍ୟ ହୋଇଥିଲା । କିଏ ହନୁମାନ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରୁଥିଲେ । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । 

You Can Read :

ଜାରକା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା, ଗଜବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.