ଯଶୀପୁର ପୋଲିସକୁ ସଫଳତା, ଗଞ୍ଜେଇ ଚୋରାଚାଲାଣ ବେଳେ ଗାଡି ସହ ମାଫିଆ ଗିରଫ

Published By : Prameya-News7 Bureau | July 21, 2024 IST

କରଞ୍ଜିଆ ୨୧।୦୭ : ଯଶୀପୁର ପୋଲିସକୁ ମିଳିଛି ବଡ଼ ସଫଳତା ।  ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୩ ମାଫିଆଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଗୋଡ଼େଇ ଗୋଡ଼େଇ ଧରିଛି ଯଶିପୁର ପୋଲିସ । ରବିବାର ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ଏନେଇ ୪୯ନଂ ଜାତୀୟ ରାଜପଥ କଡ଼ରେ ଯଶୀପୁର ପୋଲିସ ଚେକିଂ କରୁଥିଲା । ଏହି ସମୟରେ ହଠାତ୍ ପୋଲିସକୁ ଦେଖି ମାଫିଆ ମାନେ ଗାଡ଼ି ବୁଲାଇ ଯଶୀପୁର ଥାନା ଅଙ୍ଗାରପଦା ଗାଁ ରାସ୍ତାରେ ଖସିଯିବାକୁ ଉଦ୍ୟମ କରୁଥିଲେ । ହେଲେ ଯଶୀପୁର ପୋଲିସ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଦୁଇଟି ଗାଡି ଏବଂ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ । ତେବେ ପୋଲିସ ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣାପଡିଛି। ଯଶୀପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.