ପୋଲିସ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ

Published By : Prameya-News7 Bureau | September 03, 2024 IST

ଉଦଳା ୩।୯: ଛାତିଥରା ଦୁର୍ଘଟଣା । ପୋଲିସ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ଓଲଟିଲା ପୋଲିସ ଗାଡି । ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ  । ସୋମବାର ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । 

ସୂଚନାଯୋଗ୍ୟ ଯେ, ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ ଏବଂ ଚେକିଂ କରୁଥିଲେ । ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ବାଇକ୍‌ରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୋଲିସ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ହୋଇଥିଲା ଯେ ପୋଲିସ ଗାଡିଟି ୩ ଥର ଓଲଟି ଥିଲା । ଏହା ପରେ ମଧ୍ୟ ୧୦୮ ଆମ୍ବୁଲାନ୍ସଟି ପୋଲିସ ଗାଡିକୁ ଘୋଷାରି ନେଇଥିଲା । ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡି ଭିତରେ ଗୁରୁତର ହୋଇଥିଲେ, ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତ ପୋଲିସ ଗାଡି ତଳେ ଚାପି ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । 

ଅନ୍ୟପଟେ ଆମ୍ବୁଲାନ୍ସର ହେଲପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକଙ୍କ ଅବସ୍ଥା ବିପଦସଙ୍କୁଳ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ପୋଲିସ ଗାଡି ଏବଂ ୧୦୮ ଉଭୟ ଚୁରମାର ହୋଇଯାଇଛି । ଖବର ପାଇ ଏସଡିପିଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୁରା ଘଟଣା ଉପରେ ନଜର ରଖିଛନ୍ତି ।

You Can Read:

କେନ୍ଦ୍ରାପଡ଼ା ସାତଭାୟା ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.