ହଷ୍ଟେଲରେ ଅନ୍ତେବାସୀଙ୍କ ମୃତ୍ୟୁ : ବହିଷ୍କୃତ ହେଲେ ୱାର୍ଡେନ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ପାଇଁ ଚିଠି

Published By : Prameya-News7 Bureau | August 25, 2024 IST

ଉଦଳା ୨୫।୮ହଷ୍ଟେଲରେ ଅନ୍ତେବାସୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବି ସହିତ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ପରେ ହେଲା ଆକ୍ସନ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ୱାର୍ଡେନଙ୍କୁ ବହିସ୍କୃତ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ପାଇଁ ଡାଇରେକ୍ଟରଙ୍କୁ ଚିଠି ଲେଖାଯାଇଛି । 

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲର ଷଷ୍ଠ ଶ୍ରେଣୀର ଅନ୍ତେବାସୀଙ୍କର ହଷ୍ଟେଲରେ ମୃତ୍ୟୁ ହୋଇଥିଲା । ଛାତ୍ରୀଙ୍କ ଶରୀର ଅସୁସ୍ଥ ଥିବା ଜାଣି ସୁଦ୍ଧା ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରି ନଥିଲେ । କାର୍ଯ୍ୟରେ ଅବହେଳା କାରଣରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଏବଂ ଗ୍ରାମବାସୀ   ଖୁଣ୍ଟା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ୫ ଘଣ୍ଟା ରାସ୍ତା ଅବରୋଧ ପରେ ଉପଜିଲ୍ଲାପାଳ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତରେ ୱାର୍ଡେନ ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିଥିଲା । ଫଳରେ ଆକ୍ସନ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ । କାର୍ଯ୍ୟରେ ଅବହେଳା ପାଇଁ ୱାର୍ଡେନ ମିନତୀ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀଙ୍କୁ ନିଲମ୍ବନ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡାଇରେକ୍ଟରଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଆକ୍ସନ ସହିତ ମୃତକଙ୍କ ପରିବାରକୁ ସମୁଦାୟ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଛି।

You Can Read:

ମାଲକାନଗିରିରେ ଏସି ଲକ୍ଷ୍ମୀ ବସ୍‌କୁ ବିରୋଧ, ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.