ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରଣ କରିବ ରସୁଣ-ଖଜରା, ଜାଣନ୍ତୁ କେତେବେଳେ ଏହାକୁ ଖାଇବେ ?

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ ୦୮।୧୧: ଉଚ୍ଚ ରକ୍ତଚାପ ସମସ୍ତଙ୍କର ପ୍ରମୁଖ ସମସ୍ୟା । ବଢୁଥିବା ରକ୍ତଚାପ ଓ କୋଲେଷ୍ଟ୍ରରଲ୍‌କୁ ନିୟନ୍ତ୍ରିତ କରିବା ଏବେ ଚ୍ୟାଲେଞ୍ଜ । କିନ୍ତୁ ଏହାକୁ ନିୟନ୍ତ୍ରଣ କରିପାରିବ ରୋଷେଇ ଘରେ ମିଳୁଥିବା ଜିନିଷ । ଏଥିପାଇଁ ଖୁବ୍‌ ପ୍ରଭାବଶାଳୀ ରସୁଣ ଓ ଖଜରା । ବିଶେଷଜ୍ଞଙ୍କ ଅନୁସାରେ ଖଜରାରେ ସୋଡିୟମ୍‌ର କମ୍‌ ଓ ପୋଟାସିୟମ୍‌ର ମାତ୍ରା ଅଧିକ ରହିଥାଏ । ଏହାକୁ ଡାଏଟ୍‌ରେ ସାମିଲ୍‌ କଲେ ରକ୍ତଚାପ ନିୟନ୍ତ୍ରିତ ହୋଇପାରିବ । 

ପୋଟାସିୟମ୍‌ ଶରୀରରୁ ଅତିରିକ୍ତ ସୋଡିୟମ୍‌କୁ ହଟାଇବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ସୋଡିୟମ୍‌ର ମାତ୍ରା କମ୍‌ ହେବା ଦ୍ୱାରା ହାଇପର୍‌-ଟେନସନ୍‌ର ଆଶଙ୍କା କମ୍‌ ରହିଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯାହା କୋଲେଷ୍ଟ୍ରରଲ୍‌ ସହ ମିଶି ରକ୍ତର ଅବଶୋଷଣ କ୍ଷମତାକୁ କମ୍‌ କରିଥାଏ । ଫଳରେ ହୃଦ୍‌ରୋଗର ଆଶଙ୍କା କମ୍‌ ରହିଥାଏ । 

ଖଜରାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଟ୍ରାଇଗ୍ଲିସେରାଇଜଡ୍‌କୁ କମ୍‌ କରିବାରେ ସହଯୋଗ କରିଥାଏ । ରସୁଣରେ ରକ୍ତଚାପକୁ କମ୍‌ କରିବାର ଗୁଣ ରହିଥାଏ । ସେହିପରି ଶରୀରରେ ଥିବା ବାତ-କଫକୁ କମ୍‌ କରିବା ସହ ଅଦରକାରୀ ପଦାର୍ଥକୁ ନିଷ୍କାସିତ କରିଥାଏ । ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମ୍‌ ହେବା ସହ ପାଚନ ତନ୍ତ୍ରରେ ସୁଧାର ଆସିଥାଏ । ସେହିପରି ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । 

ବିଶେଷଜ୍ଞଙ୍କ ମତରେ ଯଦି ରକ୍ତଚାପ ସହ କୋଲେଷ୍ଟ୍ରରଲ୍‌ ବଢି ରହିଥାଏ, ତେବେ ଏକ କୋଲ ରସୁଣ ସହ ଗୋଟିଏ ଖଜରା ମିଶାଇ ଖାଇବା ଉଚିତ୍‌ । ଏହାକୁ ସକାଳେ ଖାଲି ପେଟରେ କିମ୍ବା ଖାଇବାର ଅଧା ଘଣ୍ଟା ପୂର୍ବରୁ ଖାଇବା ଉଚିତ୍‌ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.