ହୋସ୍ ଉଡ଼ାଇ ଦେବ ହଳଦିଆ ଧାତୁ ଦର; ତିନି ସପ୍ତାହରେ ୬,୨୦୦ଟଙ୍କା ମହଙ୍ଗା

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ପରେ ବି ଉପରମୁହାଁ ସୁନା ଦାମ୍ । ସପ୍ତାହେ ପୂର୍ବରୁ ସାମାନ୍ୟ ହ୍ରାସ ପାଇଥିଲା । ଆଉ ଏବେ ପୁଣିଥରେ ଦ୍ରୁତଗତିରେ ବଢ଼ିଚାଲିଛି ।  ସୋମବାର ଦେଶର କମୋଡିଟି ମାର୍କେଟର କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ଛୁଇଁଛି । ଯାହା ଫଳରେ ସୁନା ଦର ୧୦ଗ୍ରାମ୍ ପିଛା ପାଖାପାଖି ୯୭ ହଜାର ଟଙ୍କା ପହଞ୍ଚଛି । ସବୁଠୁ ବଡ଼ କଥା ହେଲା କେବଳ ଏପ୍ରିଲ ମାସରେ ହଳଦିଆ ଧାତୁର ମୂଲ୍ୟ ୬,୨୦୦ ଟଙ୍କା ବଢ଼ିଛି । ଅର୍ଥନୈତିକ ବିଶେଷଜ୍ଞ ମାନେ ଅନୁମାନ କରିଛନ୍ତି, ଚଳିତ ସିଜିନ୍ ଶେଷ ବେଳକୁ ଏହି ମୂଲ୍ୟବାନ ଧାତୁ ଦର ଆହୁରି ଦ୍ରୁତବେଗରେ ବଢ଼ିବ । ସୁନା ମୂଲ୍ୟ ସର୍ବାଧିକ ସ୍ତରରେ ପହଞ୍ଚିବାର ମୁଖ୍ୟ କାରଣ ହେଉଛି ଡଲାର ଇଣ୍ଡେକ୍ସ ହ୍ରାସ ପାଇବା ଏବଂ ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ଟ୍ରେଡ୍ ଓ୍ବାର । 

ରେକର୍ଡ କଲା ସୁନା ମୂଲ୍ୟ:    

ସୋମବାର ଏମସିଏଏକ୍ସରେ ସୁନାର କମୋଡିଟି ମୂଲ୍ୟ ୧,୬୨୧ ଟଙ୍ରା ବଢ଼ି ୯୬,୮୭୫ ଟଙ୍କାରେ ପହଞ୍ଚିବା ସହିତ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଅପରାହ୍ଣ ୩ଟା ୧୫ମିନିଟରେ ସୁନା ଦର ପ୍ରତି ୧୦ ଗ୍ରାମ୍ ପିଛା ୧୫୨୪ ଟଙ୍କା ବୃଦ୍ଧି ପାଇ ୯୬,୭୭୮ ଟଙ୍କାରେ କାରବାର କରୁଥିଲା । ଗତ ସପ୍ତାହର ପ୍ରଥମ ଦିନରେ ସୁନା ୯୬,୬୯୬ ଟଙ୍କାରେ ଓପନ ହୋଇ ଗୁରୁବାର ୯୫,୨୫୪ ଟଙ୍କା ସହିତ ବନ୍ଦ ହୋଇଥିଲା । ଅନ୍ୟପଟେ ଚାନ୍ଦି ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୬୪୨ ଟଙ୍କା ବୃଦ୍ଧି ପାଇ ୯୫,୬୭୯ ଟଙ୍କାରେ ପହଞ୍ଚିଛି । ବ୍ୟବସାୟ ସମୟରେ ରୂପା ଦର ସର୍ବାଧିକ ୯୬,୨୦୦ ଟଙ୍କାରେ ପହଞ୍ଚି ପୁଣି ଖସି ଆସିଥିଲା । 

ଗୋଟିଏ ମାସରେ ମୂଲ୍ୟ ବୃଦ୍ଧି: 

ଚଳିତ ମାସ ସୁନା ଦରକୁ ଆକଳନ କଲେ ଏହା ପୂର୍ବ ତିନି ସପ୍ତାହ ହେଲା ଦ୍ରୁତଗତିରେ ବଢୁଛି । ଗତ ମାସ ଶେଷ ବେଳକୁ ହଳଦିଆ ଧାତୁ ପ୍ରତି ଦଶ ଗ୍ରାମ ପିଛା ୯୦,୭୧୭ ଟଙ୍କା କାରବାର ସହିତ ବନ୍ଦ ହୋଇଥିଲା । ଯାହା ଏବେ ବୃଦ୍ଧି ପାଇଁ ୯୬,୮୭୫ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଏକ ମାସ ଭିତରେ ସୁନାର ମୂଲ୍ୟ ୬,୨୦୦ ଟଙ୍କା ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଯାହା ଫଳରେ ହଳଦିଆ ଧାତୁ ନିବେଶକଙ୍କ ସିଧା ସିଧା ୭ ପ୍ରତିଶତ ଲାଭ ହୋଇଛି ।

କାହିଁକି ସୁନା ଦର ବୃଦ୍ଧି ପାଉଛି:

ଅର୍ଥନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ପାଇଁ ସୁନା ଲଗାତାର ଭାବେ ବଢ଼ି ଚାଲିଛି । ୟୁଏଏସ ଚୀନ୍ ଉପରେ ୨୪୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛି ଏବଂ ଚୀନ୍ ସରକାର ମଧ୍ୟ ଏହାର ଜବାବ ଦେଇ ପାଲଟା ଶୁଳ୍କ ଲଗାଇଛି । ଫଳରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି । ସେହିପରି ଡଲାର ଇଣ୍ଡେକ୍ସ ହ୍ରାସ ପାଇବା ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.