ବେଙ୍ଗାଲୁରୁରେ ଅଭାବନୀୟ ଘଟଣା; ବାୟୁସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜାଧାନୀ ବେଙ୍ଗାଲୁରୁରେ ଦୁଃଖଦ ଘଟଣା । ଡିଆରଡିଓରେ କାର୍ଯ୍ୟରତ ବାୟୁସେନା ଓ୍ବିଙ୍ଗ କମାଣ୍ଡରଙ୍କୁ ମରଣାନ୍ତକ ଆକ୍ରମଣ । ଅଜ୍ଞାତ ଲୋକ ଅତର୍କିତ ଭାବେ ହମଲା କରିଥିବା ଅଭିଯୋଗ । ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି ଓ୍ବିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ । ସେ ପରିବାର ସହିତ ଏୟାରପୋର୍ଟ ଯାଉଥିବା ବେଳେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନ୍ୟପଟେ  ଅଭିଯୋଗ ପରେ ବି ଏଯାଏଁ ଅଭିଯୁକ୍ତ ଗିରଫ ହୋଇନଥିବାରୁ ପୋଲିସର ନିଷ୍କ୍ରିୟତାକୁ ସମସ୍ତେ ସମାଲୋଚନା କରିଛନ୍ତି ।  

ଓ୍ବିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ୍ ନିଜ ଏଫଆଇଆରରେ ଲେଖିଛନ୍ତି, ସେ ଏୟାରପୋର୍ଟ ଯାଉଥିବାବେଳେ କିଛି ଅଜ୍ଞାତ ଲୋକ ତାଙ୍କୁ ବାଇକରେ ଆସି ଆକ୍ରମଣ କରିଥିଲେ । ବାଇକରେ ପିଛା କରୁଥିବା ଦୁର୍ବୃତ୍ତମାନେ ରୋଡ୍ ରେଜ୍ ଘଟଣାରେ ତାଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ ପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଓ୍ବିଙ୍ଗ କମାଣ୍ଡର ରକ୍ତ ଜୁଡୁବୁଡୁ ଅବସ୍ଥାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏଥିରେ ଘଟଣାକ୍ରମର ବିବରଣୀ ଏହି ଭିଡିଓ ମାଧ୍ୟମରେ ଦେଇଛନ୍ତି ଏବଂ ଶରୀରର କେଉଁ କେଉଁ ସ୍ଥାନରେ ଆଘାତ ଲାଗିଛି, ତାକୁ ମଧ୍ୟ ଦେଖାଇଛନ୍ତି । 

ଓ୍ବିଙ୍ଗ କମାଣ୍ଡର ଶିଲାଦିତ୍ୟ ବୋଷ୍ କହିଛନ୍ତି, ସେ ବେଙ୍ଗାଲୁରୁର ଡିଆରଡିଓ, ସିବି ରମଣ ନଗର ଫେଜ୍-୧ରେ ରହୁଛନ୍ତି । ସୋମବାର ସକାଳୁ ପତ୍ନୀଙ୍କ ସହିତ ଏୟାରପୋର୍ଟ ଯାଉଥିଲେ । ଏହି ସମୟରେ ଏକ ବାଇକରେ ଦୁଇଜଣ ଅଜ୍ଞାତ ଲୋକ ଆସି ତାଙ୍କ କାର୍‌କୁ ଅଟକାଇ ଦେଇଥିଲା । ଜଣେ ବ୍ୟକ୍ତି ବାଇକରୁ ଓହ୍ଲାଇ ତାଙ୍କୁ କନ୍ନଡ଼ ଭାଷାରେ ଗାଳି ଗୁଲଜ କରିଥିଲେ । ପରେ ଡିଆରଡିଓ ଲୋଗୋ ଦେଖି ଆହୁରି ଅଭଦ୍ର ବ୍ୟବହାର ସହିତ ଆକ୍ରମଣ କରିଥିଲେ ।

ଅନ୍ୟ ସ୍ଥାନୀୟ ଲୋକ ମଧ୍ୟ ଗାଳି କରିଥିଲେ: 

ଓ୍ବିଙ୍ଗ କମାଣ୍ଡର ଆହୁରି ମଧ୍ୟ କହିଛନ୍ତି, ବାଇକ୍ ଚାଳକ ଓ ସ୍ଥାନୀୟ ଲୋକଙ୍କ ଅଭଦ୍ରାମୀ ଦେଖି ସହିପାରିନଥିଲେ ।  ସେ ଗାଡ଼ିରୁ ଓହ୍ଲାଇବାରୁ ତାଙ୍କୁ ବାଇକ୍ ଚାବିରେ ଆକ୍ରମଣ କରିଥିଲେ । କାର୍ ଉପରକୁ ପଥର ମାଡ଼ି ମଧ୍ୟ କରିଥିଲେ । ତାଙ୍କ ପତ୍ନୀ ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । ବେଙ୍ଗାଲୁରୁ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.