ବୋକାରୋ ୨୧।୪: ଝଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ସୋମବାର ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ନକ୍ସଲଙ୍କୁ ବଡ଼ ଧରଣ ଆଘାତ ଲାଗିଛି। ଉଭୟପଟରୁ ହୋଇଥିବା ଗୁଳିବିନିମୟରେ ୮ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ପ୍ରୟାଗ ମାଁଝୀ ଥିବାର ଜଣାପଡିଛି। ମାଁଝୀ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ବୋକାରୋ ଜିଲ୍ଲା ଲୁଗୁ ପାହାଡ ତଳେ ସକାଳେ ନକ୍ସଲ ଓ ସୁରକ୍ଷା କର୍ମୀ ମୁହାଁ ମୁହିଁ ହୋଇଥିଲେ।
ବିହାର ଜାଗେଶ୍ୱର ଥାନା ଲୁଗୁ ପାହାଡ଼ ତଳ ଲାଲପାନୀରେ ନକ୍ସଲମାନେ ଏକତ୍ରୀତ ହୋଇଥିବାର ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା। ସେହି ଅନୁସାରେ ଝାଡ଼ଖଣ୍ଡ ପୋଲିସ, ସିଆରପିଏଫ ଓ ଝାଡଖଣ୍ଡ ଜାଗୁଆର ଟିମ୍ ମିଳିତ ଅପରେଶନ ଆରମ୍ଭ କରିଥିଲେ। ସୁରକ୍ଷାବଳଙ୍କୁ ଅତି ନିକଟରେ ଦେଖି ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଉଭୟପଟରୁ ହୋଇଥିବା ଗୁଳି ବିନିମୟରେ ଅନେକ ନକ୍ସଲ ପ୍ରାଣ ହରାଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ୮ ଜଣ ନକ୍ସଲଙ୍କ ଶବ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ସୁରକ୍ଷା ବଳ ଏକେ-୪୭, ଏସଏଲଆର ବନ୍ଧୁକ ସମେତ ବିପୁଳ ପରିମାଣରେ ବିସ୍ଫୋରକ ମିଳିଛି।
ଏହି ଏନକାଉଣ୍ଟରରେ କେତେକ ବଡ଼ ନକ୍ସଲ କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଇନାମୀ ନକ୍ସଲ କମାଣ୍ଡର ପ୍ରୟାଗ ମାଁଝୀ ସମେତ ଅରବିନ୍ଦ ଯାଦବ, ସାହେବରାମ ମାଁଝୀ ଆଦି ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରୟାଗ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିବା ବେଳେ ଅରବିନ୍ଦ ଲାଗି ୨୫ଲକ୍ଷ ଟଙ୍କା ଓ ସାହେବରାମ ଉପରେ ୧୦ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏହି ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଅନ୍ୟ ନକ୍ସଲଙ୍କ ମଧ୍ୟରେ ମହେଶ ମାଁଝୀ ଓରଫ ମୋଟା, ତାଲୁ, ରାଜୁ ମାଁଝୀ, ଗଙ୍ଗାରାମ ଓ ମହେଶ ଭାବେ ଚିହ୍ନଟ କରାଯାଇଛି।
ସୁରକ୍ଷା ବଳଙ୍କ ଅନୁସାରେ ପ୍ରୟାଗ ମାଁଝୀ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ଥିଲା। ସେ ପୂର୍ବରୁ ସୁରକ୍ଷା ବଳଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣରେ ସାମିଲ ଥିଲା। ନକ୍ସଲ ସଙ୍ଗଠନରେ ତାକୁ ଉଚ୍ଚ ପଦବୀ ମିଳିଥିଲା। ସୁରକ୍ଷା ବଳ ଦୀର୍ଘ ସମୟରୁ ତାର ସନ୍ଧାନ ନେଉଥିଲେ। ଝାଡଖଣ୍ଡ ସମେତ ପାଖପଡୋଶୀ ରାଜ୍ୟରେ ମଧ୍ୟ ତା ଉପରେ ପୋଲିସ ପୁରସ୍କାର ଘୋଷଣା କରିଥିଲା।