ନୂଆଦିଲ୍ଲୀ: ବ୍ୟାଙ୍କ ପରିଚାଳନା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା । ମାଇନର ବ୍ୟାଙ୍କ ଖାତା ପରିଚାଳନା ନିୟମ କୋହଳ କଲା ଆରବିଆଇ । ଏବେ ୧୦ ବର୍ଷରୁ ଅଧିକ ବୟସ୍କ ଛୋଟ ପିଲା ସଞ୍ଚୟ ଖାତାକୁ ନିଜେ ଅପରେଟ୍ କରିପାରିବେ । ଏହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ୧୦ ବର୍ଷ କିମ୍ବା ତା’ଠୁ ଅଧିକ ବୟସ୍କ ନାବଳକ କିମ୍ବା ନାବାଳିକା ନିଜେ ସଞ୍ଚୟ ଖାତା ଓ ଫିକ୍ସ ଡିପୋଜିଟ୍ ଆକାଉଣ୍ଟ ଖୋଲିବା ସହିତ ନିଜେ ଅପରେଟ୍ କରିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ମାଇନର ଆକାଉଣ୍ଟକୁ ଅଭିଭାବକମାନେ ପରିଚାଳନା କରୁଥିଲେ ।
ଆରବିଆଇର କ’ଣ ସର୍କୁଲାର୍:
ଭାରତୀୟ ରିଜର୍ଭ ବ୍ୟାଙ୍କ କମର୍ଶିଆଲ୍ ଓ ସରକାରୀ ବ୍ୟାଙ୍କଗୁଡ଼ିକୁ ଏହି ନିର୍ଦ୍ଦେଶାନାମା ଜାରି କରିଛି । ଏହି ସର୍କୁଲାରରେ କୁହାଯାଇଛି, ୧୦ ବର୍ଷରୁ ଅଧିକ ନାବାଳକ ଓ ନାବାଳିକାମାନେ ପ୍ରାକୃତିକ ଓ ଆଇନଗତ ଅଭିଭାବକ ମାଧ୍ୟମରେ ସଞ୍ଚୟ ଖାତା ଓ ଫିକ୍ସ୍ ଡିପୋଜିଟ୍ ଆକାଉଣ୍ଟ ଖୋଲିବା ସହିତ ପରିଚାଳନା କରିପାରିବେ । ସେ ନିଜ ମାଆଙ୍କୁ ମଧ୍ୟ ଗାର୍ଡିଆନ୍ ଭାବେ ରଖି ଖାତାକୁ ଅପରେଟ୍ କରିପାରିବେ । ନିର୍ଦ୍ଦେଶନାମା ଅନୁଯାୟୀ, ବ୍ୟାଙ୍କ ରିସ୍କ ମ୍ୟାନେଜମେଣ୍ଟ ପଲିସିକୁ ଧ୍ୟାନରେ ରଖି କାରବାର ରାଶି ଓ ସର୍ତ୍ତ ସ୍ଥିର କରିବ । ଏହାକୁ ନେଇ ଆରବିଆଇ ଯାହା ନିୟମ ଆଣିବ, ସେବାବଦରେ ବ୍ୟାଙ୍କ ଗ୍ରାହକଙ୍କୁ ଜଣାଇବ ।
ସର୍କୁଲାରରେ ଆହୁରି ମଧ୍ୟ କୁହାଯାଇଛି, ବ୍ୟାଙ୍କ ନିଜର ରିସ୍କ ମ୍ୟାନେଜମେଣ୍ଟ ପଲିସି, ଉତ୍ପାଦ ଓ ଗ୍ରାହକଙ୍କ ଆଧାରରେ ମାଇନର ଆକାଉଣ୍ଟଧାରୀଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଂ, ଏଟିଏମ୍/ଡେବିଟ୍ କାର୍ଡ, ଚେକ୍ ବୁକ୍ ସୁବିଧା ଦେବାକୁ ସ୍ବତନ୍ତ୍ର କରାଯାଇଛି । ବ୍ୟାଙ୍କ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ମାଇନର ଆକାଉଣ୍ଟକୁ ସେ ନିଜେ ସ୍ବତନ୍ତ୍ର ଭାବେ ପରିଚାଳନା କରିବେ ନା ଅଭିଭାବକଙ୍କ ମାଧ୍ୟମରେ ଚଳାଇବେ । ବ୍ୟାଙ୍କ ଗୁଡ଼ିକ ସଞ୍ଚୟ ଖାତା ଖୋଲିବା ପୂର୍ବରୁ ଗ୍ରାହକଙ୍କ ଜରୁରୀ ପ୍ରମାଣପତ୍ର ସଠିକ୍ ଭାବେ ଯାଞ୍ଚ କରିବେ ।...