ଭୁବନେଶ୍ବର ୨୦।୩: ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ ଅଞ୍ଚଳରେ ସୁନା ଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି ।
ପୂର୍ବରୁ ରାଜ୍ୟରେ ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଦ୍ବାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଛି ।
କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ସେପଟେ ମନ୍ତ୍ରୀ ଉତ୍ତର ରଖିଛନ୍ତି, ରାଜ୍ୟରେ ମାତିଛନ୍ତି ଲଘୁ ଖଣିଜ ଲୁଟେରା । ଲୁଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ଧରପଗଡ଼ ଜୋରଦାର । ବାଲି ଚୋରିରୁ ଗତ ୧୧ ମାସରେ ୪୦ କୋଟି ୭୩ ଲକ୍ଷ ଟଙ୍କା ଫାଇନ ଆଦାୟ କଲେଣି ରାଜ୍ୟ ସରକାର । ବାଲି ଚୋରା ଚାଲାଣ ରୋକିବାକୁ ଗତ ୧୧ ମାସରେ ୩୧୨୩ଟି ଚଢ଼ାଉ କରାଯାଇଛି । ୩୮୯୫ ଗାଡ଼ି ସିଜ୍ କରିଛନ୍ତି ରାଜ୍ୟ ସରକାର ।
ସେହିପରି ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୧ରୁ ୨୦୨୩ ମଧ୍ୟରେ ୧୯୫ କୋଟି ୨୭ ଲକ୍ଷ ଫାଇନ ଆଦାୟ ହୋଇଛି । ୧ ଲକ୍ଷ ୫ ହଜାର ୨୪୨ଟି ରେଡ଼୍ କରାଯାଇ ଏହି ଅର୍ଥ ଜରିମାନା ବାବଦକୁ ଆଦାୟ କରାଯାଇଛି ।
ସେହିଭଳି ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଚାଇନା ନେଉଛି ଲୁହା ପଥର । ବିଗତ ତିନି ବର୍ଷରେ ୨୪ ଶହ ୧୮ କୋଟି ୮୫ ଲକ୍ଷ ରାଜସ୍ବ ଆଦାୟ ହୋଇଥିବା ବେଳେ ୪ କୋଟି ୧୮ ଲକ୍ଷ ୭୯ ହଜାର ୫୦ ମେଟ୍ରିକ୍ ଟନ୍ ଲୁହା ପଥର ରପ୍ତାନୀ ହୋଇଛି । ୨୦୨୨-୨୩ରେ ରାଜସ୍ବ ଆଦାୟ ହୋଇଛି ୩୧୨ କୋଟି ୮ ଲକ୍ଷ ଟଙ୍କା । ୨୦୨୩-୨୪ରେ ରାଜସ୍ବ ଆଦାୟ ହୋଇଛି ୧ ହଜାର ୮୬ କୋଟି ୯୬ ଲକ୍ଷ ଟଙ୍କା । ସେହିପରି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୧ ହଜାର ୧୯ କୋଟି ୮୦ ଲକ୍ଷ ରାଜସ୍ବ ଆଦାୟ ହୋଇଛି ।
You Can Read:
ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍, ଟଙ୍କା ଓ ସୁନା ଗହଣା ନେଇଗଲେ ଦୁର୍ବୃତ୍ତ