ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ମେଡିକାଲ୍ ସିଟ୍ ବଢାଇବା ପାଇଁ ଏକ ବୃହତ୍ତର ଦୃଷ୍ଟିକୋଣ ଆପଣାଇଛନ୍ତି । ଡାକ୍ତରୀ ପ୍ରଫେସନାଲଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ମେଡିକାଲ୍ ସିଟରେ ଯଥେଷ୍ଟ ବୃଦ୍ଧି କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ୟୁଜି ଓ ପିଜି ଉଭୟ ଆସନ ବଢାଇବା ଉପରେ କାମ କରୁଛନ୍ତି । ଯାହା ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ ଭାରତରେ ମୋଟ MBBS ସିଟ୍ ସଂଖ୍ୟା ବର୍ତ୍ତମାନ ୧,୧୮,୧୯୦ରେ ପହଞ୍ଚିଛି । ସେହିପରି PG ସିଟ୍ ୭୪,୩୦୬କୁ ବୃଦ୍ଧି ପାଇଛି । ୨୦୨୫ ବଜେଟରେ ଦିଆଯାଇଥିବା ପ୍ରତିଶ୍ରୁତି ସହିତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭୫,୦୦୦ ନୂତନ ଡାକ୍ତରୀ ସିଟ୍ ଯୋଡାଯିବ ବୋଲି ସେ କହିଛନ୍ତି । ସରକାର କେବଳ ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୪୩୬ଟି ନୂତନ ଡାକ୍ତରୀ ସିଟ୍ ଯୋଡିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ମେଡିକାଲ୍ କଲେଜ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ବର୍ତ୍ତମାନ ଦେଶରେ ମେଡିକାଲ୍ କଲେଜ ସଂଖ୍ୟା ୭୮୦ ଅଛି, ଯାହା ୨୦୧୪ରେ ୩୮୭ ଥିଲା । ଏହା ଗତ ଦଶନ୍ଧିରେ ୧୦୧.୫ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧିକୁ ଦର୍ଶାଉଛି । ଏହା ବ୍ୟତୀତ ଏମବିବିଏସ୍ ସିଟ୍ ସଂଖ୍ୟାରେ ୧୩୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ରେ ଏହି ସଂଖ୍ୟା ୫୧,୩୪୮ ଥିଲା, ଯାହା ବଢି ଏବେ ୧,୧୮,୦୦୦ରୁ ଅଧିକ ହୋଇଛି । ସେହିପରି ପିଜି ସିଟ୍ ସଂଖ୍ୟାରେ ୧୩୮ ପ୍ରତିଶତ ବୃଦ୍ଧି ହୋଇଛି ।
ସେ କହିଛନ୍ତି ଯେ ସରକାର ଏମବିବିଏସ୍ ଓ ପିଜି ଉଭୟରେ ସିଟ୍ ସଂଖ୍ୟା ବଢାଇବା ପାଇଁ ମେଡିକାଲ୍ କଲେଜ ଅପଗ୍ରେଡ୍ କରିବା ଉପରେ କାମ କରୁଛନ୍ତି । ଏଥିରେ କଲେଜର ଭିତ୍ତିଭୂମି ବଢାଇବା ପାଇଁ ସିଭିଲ୍ କାର୍ଯ୍ୟ, ଉପକରଣ ଅନ୍ୟ ସାମଗ୍ରୀ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ଅଧିନରେ ୮୩ କଲେଜରେ ୪୯୭୭ ନୂଆ ଏମବିବିଏସ୍ ସିଟ୍ ଯୋଡ଼ାଯାଇଛି ।