ପଶ୍ଚିମ ଆକାଶରେ ବୁଡ଼ି ଯାଇଛନ୍ତି ୨୦୨୪ର ଶେଷ ସୂର୍ଯ୍ୟ। ଏଇ ଯେଉଁ ନବରବି ପୂର୍ବକାଶରେ ଉଦିତ। ତା’ର କିରଣରେ ଝଲସୁଛି କେତେ ଆଶା, କେତେ ସମ୍ଭାବନା। ନୂଆ ସକାଳ ସହ ଆରମ୍ଭ ହୋଇଛି ନୂଆବର୍ଷ ୨୦୨୫ । ବିଦାୟୀ ବର୍ଷର ଘାତ ପ୍ରତିଘାତ, ଦୁଃଖ ଓ କଷ୍ଟକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି ସ୍ୱାଗତ । ରାଜ୍ୟ, ଦେଶ ଓ ବିଶ୍ବ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । ପୂଜା ପ୍ରାର୍ଥନା ମନ୍ଦିରରେ ଦର୍ଶନ, ଆଉ କେଉଁଠି ବାଜା ବାଣର ଉତ୍ସବରେ ନୂଆ ବର୍ଷକୁ ସ୍ୱାଗତ । ଜିରୋ ନାଇଟରେ ମତୁଆଲା ହୋଇଛି ବିଭିନ୍ନ ସହର ।
ପାର୍ଟି ହୋଟେଲ ଓ ବିଭିନ୍ନ ଆସରରେ ମଧ୍ୟ ନାଚଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଦାୟ ଓ ସ୍ୱାଗତର ମନଛୁଆଁ ଉତ୍ସବ। କ୍ୟାଲେଣ୍ଡର ବଦଳିଗଲେ ଯେ ଭାଗ୍ୟ ବଦଳିଯାଏ ସେ କଥା ନୁହେଁ । କାରଣ ତାରିଖ ବଦଳିଲେ ବି ଘଣ୍ଟା କଣ୍ଟା ବଦଳେନି। କେବଳ ସମୟର ବୟସ ଆଗେଇ ଚାଲେ। ଏଇଆ ତ ନୂଆ ବର୍ଷ। ମନ ଖୁସି ଥିଲେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଏ ।
ବିଦାୟୀ ବର୍ଷ କ’ଣ ହରେଇଛ, କେତେ ବିଫଳ ହୋଇଛି ଭୁଲିଯାଇ, ନୂଆ ଲକ୍ଷ୍ୟ, ନୂଆ ସ୍ଵପ୍ନ, ନୂଆ ଆଶା ରଖିବା ଦରକାର । ପୁରୁଣା ବର୍ଷରେ ନହେଲା ନାହିଁ, ଏ ବର୍ଷ ନିହାତି ସ୍ୱପ୍ନ ପୂରଣ କରିବ ବୋଲି ବିଶ୍ୱାସ ରଖିବା । ନୂଆବର୍ଷ ନୂଆଯାତ୍ରାର ଏକ ଆରମ୍ଭ ଯେମିତି । କିଛି ହେଉ ନ ହେଉ ନୂଆ ଏକ ପ୍ରୟାସର ନୂଆ ଆରମ୍ଭ ତ ହେବ। ୨୦୨5 ସଫଳତାର ବର୍ଷ ହେଉ । ନୂଆ ଉଦ୍ଭାବନ, ନୂଆ ସଫଳତା , ନୂଆ ଢଙ୍ଗରେ ନୂଆ ସମୟର ତାଳରେ ଖୁସିକୁ ନେଇ ଆସୁ ନୂଆବର୍ଷ ଏତିକି କାମନା… ପ୍ରାର୍ଥନା ସବୁଦିନ ସୁନ୍ଦର ହେଉ...