ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପାଇଁ ମ୍ୟାଚ୍ ସୂଚୀ ଜାରି ହୋଇସାରିଛି । ମାର୍ଚ୍ଚ ୨ରୁ ଆଇପିଏଲ୍ ଆରମ୍ଭ ହେବ । ୫ ଥରର ଚାମ୍ପିଅନ ମୁମ୍ୱାଇ ଇଣ୍ଡିଆନ୍ସ ନିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ସାମନାରେ ଏକ ବଡ଼ ପ୍ରଶ୍ନ ରହିଛି । ଉଲ୍ଲେଖଯୋଗ୍ୟ, ମୁମ୍ୱାଇ ଟିମ୍ର ଅଧିନାୟକ ଏବଂ ଷ୍ଟାର୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୪ରେ ତିନି ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ପାଇଁ ଗୋଟିଏ ମ୍ୟାଚ୍ ବ୍ୟାନ୍ କରାଯାଇଥିଲା । ପୂର୍ବ ସିଜିନରେ ଯେଉଁ ସମୟରେ ହାର୍ଦ୍ଦିକଙ୍କ ଉପରେ ବ୍ୟାନ ଲାଗୁ ହୋଇଥିଲା, ସେହି ସମୟରେ ମୁମ୍ୱାଇ ଟିମ୍ ସିଜିନରୁ ବାହାର ହୋଇସାରିଥିଲା । ଏହି କାରଣରୁ ହାର୍ଦ୍ଦିକ ନିଜ ଦଣ୍ଡ ଭୋଗିପାରି ନଥିଲେ । କିନ୍ତୁ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ମ୍ୟାଚ୍ରେ ହିଁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ । ଏବେ ସିଏସକେ ବିପକ୍ଷ ପ୍ରଥମ ମ୍ୟାଚରେ ହାର୍ଦ୍ଦିକଙ୍କୁ ଡଗ୍ଆଉଟ୍ରେ ବସିବାକୁ ପଡ଼ିବ । ତେବେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ କିଏ ହେବ । ହାର୍ଦ୍ଦିକଙ୍କ ସ୍ଥାନ ନେବା ପାଇଁ ମୁମ୍ୱାଇ ପାଖରେ ତିନି ବିକଳ୍ପ ଅଛି ।
ମୁମ୍ୱାଇ ଟିମ୍ରେ ହାର୍ଦ୍ଦିକଙ୍କ ସ୍ଥାନ ନେବା ପାଇଁ ସବୁଠୁ ଆଗରେ ଅଛନ୍ତି ଭାରତୀୟ ଟି-୨୦ ଟିମ୍ର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟଙ୍କ ପାଖରେ ଟି-୨୦ରେ ଅଧିନାୟକ କରିବାର ଅଭିଜ୍ଞତା ମଧ୍ୟ ରହିଛି । ମୁମ୍ୱାଇ ଟିମ୍କୁ ୫ଥର ଆଇପିଏଲ୍ ଟ୍ରଫି ଜିତାଇଥିବା ରୋହିତ୍ ଶର୍ମା ମଧ୍ୟ ହାର୍ଦ୍ଦିକଙ୍କ ସ୍ଥାନ ନେଇପାରନ୍ତି । ରୋହିତ୍ ବର୍ତ୍ତମାନ ଭାରତୀୟ ଦିନିକିଆ ଟିମ୍ର ଅଧିନାୟକ ଅଛନ୍ତି । ଗତ ବର୍ଷ ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଜିତିଥିଲା । ହାର୍ଦ୍ଦିକଙ୍କ ସ୍ଥାନ ନେବା ପାଇଁ ତୃତୀୟ ବଡ଼ ଦାବିଦାର ହେଉଛନ୍ତି ଯଶପ୍ରୀତ ବୁମରା । ନିକଟରେ ଟେଷ୍ଟରେ ଭାରତୀୟ ଟିମ୍ ପାଇଁ ସେ କ୍ୟାପ୍ଟେନ୍ସି ବି କରିସାରିଛନ୍ତି ।