ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଡା. ହରିନୀ ଅମରସୂର୍ଯ୍ୟା, ଜାଣନ୍ତୁ କିଏ ଏହି ମହିଳା ନେତା ?

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବରେ ଅନୁରା କୁମାର ଦିସାନାୟକେଙ୍କ ଶପଥ ନେବାର ଗୋଟିଏ ଦିନ ପରେ,  ମଙ୍ଗଳବାର ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ହରିନୀ ଅମରସୂର୍ଯ୍ୟା । ନାସନାଲ ପିପୁଲ୍ସ ପାଓ୍ବାର’ (NPP)ର ୫୪ ବର୍ଷୀୟ ନେତା ଅମରସୂର୍ଯ୍ୟାଙ୍କୁ, ରାଷ୍ଟ୍ରପତି ଅନୁରା ଦିସାନାୟକେ ଶପଥ ଗ୍ରହଣ କରାଇଛନ୍ତି। ଏଥି ସହିତ ୨୦୦୦ରେ ସିରୀମାଭୋ ଭଣ୍ଡାରନାୟକେଙ୍କ ପରେ ଏହି ପଦରେ ବସିଥିବା ତୃତୀୟ ମହିଳା ନେତା ହୋଇଛନ୍ତି ଅମରସୂର୍ଯ୍ୟା । ତାଙ୍କୁ ଆଇନ, ଶିକ୍ଷା, ଉଦ୍ୟୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟା ତଥା ନିବେଶ ମନ୍ତ୍ରାଳୟର କାର୍ଯ୍ୟାଭାର ଦିଆଯାଇଛି। ସେ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେଙ୍କ ସ୍ଥାନ ନେଇଛନ୍ତି। 

ଆହୁରି ମଧ୍ୟ ଏନପିପି ସାଂସଦ- ଭିଜିତା ହେରାଥ ଏବଂ ଲକ୍ଷ୍ମଣ ନିପୁର୍ଣ୍ଣାଚ୍ଚୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେମାନେ ସଂସଦ ଭଙ୍ଗ ପରେ କାର୍ଯ୍ୟବାହୀ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ କାମ କରିବେ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବର ଶେଷ ସୁଦ୍ଧା ସଂସଦୀୟ ନିର୍ବାଚନ ହୋଇପାରେ। ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ୫୬ ବର୍ଷୀୟ ଦିସାନାୟକେ ରବିବାର ଶ୍ରୀଲଙ୍କାର ୯ମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି।

କିଏ ଅମରସୂର୍ଯ୍ୟା ?

୧୯୭୦ ମାର୍ଚ୍ଚ ୬ରେ ଜନ୍ମ ଗ୍ରହଣ କରିଥିବା ହରିନୀ ଅମରସୂର୍ଯ୍ୟା, ଏନପିପିର ସାଂସଦ ଏବଂ ଶ୍ରୀଲଙ୍କାର ୧୬ତମ ପ୍ରଧାନମନ୍ତ୍ରୀ। ଏହି ପଦରେ ପହଞ୍ଚିବାରେ ସେ ତୃତୀୟ ମହିଳା। ତାଙ୍କ ପୂର୍ବରୁ ସିରୀମୋଭା ଭଣ୍ଡାରନାୟକେ ଏବଂ ଚନ୍ଦ୍ରିକା କୁମରାତୁଙ୍ଗା ପିଏମ ହୋଇସାରିଛନ୍ତି। ଭଣ୍ଡାରନାୟକେଙ୍କ ତୃତୀୟ ଏବଂ ଅନ୍ତିମ କାର୍ଯ୍ୟକାଳ ୧୯୯୪ ନଭେମ୍ବରରୁ ୨୦୦୦ ପର୍ଯ୍ୟନ୍ତ ରହିଥିଲା। ଅମରସୂର୍ଯ୍ୟା ୨୦୨୦ରେ ଏନପିପି ଦ୍ବାରା ସଂସଦ ସଦସ୍ୟ ହୋଇଥିଲେ। ଅମରସୂର୍ଯ୍ୟା ପ୍ରାୟ ୨୫ ବର୍ଷ ପରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ହରିନୀ ଜଣେ ବିଶ୍ବବିଦ୍ୟାଳୟ ପ୍ରଫେସର ଏବଂ ସାମାଜିକ କର୍ମୀ। ସେ ସମାଜଶାସ୍ତ୍ରୀରେ ବିଏ (ଅନର୍ସ), ମାନବ ବିଜ୍ଞାନ ଏବଂ ବିକାଶ ଅଧ୍ୟୟନରେ ସ୍ନାତକୋତ୍ତର ଏବଂ ସାମାଜିକ ନୃବିଜ୍ଞାନରେ ପିଏଚଡି କରିଛନ୍ତି। ସେ ଏଡିନବର୍ଗ ୟୁନିଭର୍ସିଟିରୁ ଡକ୍ଟରେଟ କରିଛନ୍ତି। ଅମରସୂର୍ଯ୍ୟା ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ଶିକ୍ଷାବିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.