'ଆପଣ ଉପମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ; ଚାଞ୍ଚଲ୍ୟ କାହିଁକି ଖେଳାଉଛନ୍ତି ?' ଲଡୁକୁ ନେଇ ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଲଢେଇ

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ:  ଆନ୍ଧ୍ର ପ୍ରଦେଶର ତିରୁମାଲା ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ବ୍ୟବହାର ମାମଲା ସଂପ୍ରତି ଦେଶର ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ବିଚାଦର ପ୍ରଭାବ ତେଲୁଗୁ ଫିଲ୍ମ ଉଦ୍ୟୋଗ ଉପରେ ମଧ୍ୟ ପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଓ ଦକ୍ଷିଣ ଭାରତର ଅନ୍ୟ ସୁପରଷ୍ଟାର ପ୍ରକାଶ ରାଜଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ଆଜି ପୁଣି ଥରେ ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ବୟାନବାଜି ହୋଇଛି। ପ୍ରକାଶ ରାଜ କହିଛନ୍ତି, ସେ ସଂପ୍ରତି ବିଦେଶରେ ଅଛନ୍ତି ଏବଂ ଦେଶକୁ ଫେରିବା ମାତ୍ରେ କଲ୍ୟାଣଙ୍କ ପ୍ରଶ୍ନର ଉତ୍ତର ଦେବେ।

ଏହି ବାକ୍‌ ଯୁଦ୍ଧର ଆରମ୍ଭ ପ୍ରକାଶ ରାଜଙ୍କ ଏକ୍ସରେ କରିଥିବା ପୋଷ୍ଟକୁ ନେଇ ହୋଇଛି। ପୋଷ୍ଟରେ ପ୍ରକାଶ ରାଜ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି , ଏହି ଘଟଣା ଆନ୍ଧ୍ର ପ୍ରଦେଶରେ ଘଟିଛି ଏବଂ ଜନ ସେନାର ସଭାପତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏଥିପାଇଁ ତାଙ୍କୁ ଚାଞ୍ଚଲ୍ୟ ଖେଳାଇବା ଓ ପ୍ରସଙ୍ଗକୁ ଜାତୀୟକରଣ କରିବା ପରିବର୍ତ୍ତେ ପ୍ରଥମେ ଦୋଷୀଙ୍କୁ ଚିହ୍ନଟ କରି ଦଣ୍ଡିତ କରିବା ଉଚିତ୍। 




ପ୍ରକାଶ ରାଜ ଏକ୍ସରେ ଲେଖିଛନ୍ତି, ପ୍ରିୟ ପବନ କଲ୍ୟାଣ...ଏହା ସେହି ରାଜ୍ୟରେ ଘଟିଛି, ଯେଉଁଠି ଆପଣ ଉପମୁଖ୍ୟମନ୍ତ୍ରୀ...କୃପା କରି ଯାଞ୍ଚ କରନ୍ତୁ। ଦୋଷୀଙ୍କ ସନ୍ଧାନ କରନ୍ତୁ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆପଣ ଆଶଙ୍କା ଓ ଚାଞ୍ଚଲ୍ୟ କାହିଁକି ଖେଳାଉଛନ୍ତି ? ଏହି ପ୍ରସଙ୍ଗକୁ ଜାତୀୟକରଣ କାହିଁକି କରୁଛନ୍ତି ? ଆମ ଦେଶରେ ପ୍ରଥମରୁ ହିଁ ବହୁତ ସାଂପ୍ରଦାୟିକ ଉତ୍ତେଜନା ଲାଗି ରହିଛି। 

ପ୍ରକାଶ ରାଜଙ୍କ ଏହି ପ୍ରତିକ୍ରିୟା ପବନ କଲ୍ୟାଣଙ୍କ ଏକ ପୋଷ୍ଟ ଉପରେ ଆସିଛି। ଜନ ସେନା ପ୍ରମୁଖ ପବନ କଲ୍ୟାଣ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ତିରୁପତି ପ୍ରସାଦରେ ପଶୁଙ୍କ ଚର୍ବି ମିଶ୍ରଣ କରାଯାଉଥିବା ଘଟଣା ଲୋକଙ୍କ ଭାବାବେଗକୁ ବହୁତ ଯନ୍ତ୍ରଣା ଦେଇଛି। ପୂର୍ବର ଓ୍ଵାଇଏସଆର କଂଗ୍ରେସ ସରକାର ଦ୍ଵାରା ଗଠିତ ଟିଟିଡି ବୋର୍ଡକୁ ଅନେକ ପ୍ରଶ୍ନର ଜବାବ ଦେବାକୁ ପଡ଼ିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.