ଭାରତରେ ୱାର୍କିଂ ଏଜ୍ ପପୁଲେସନ ବଢ଼ୁଛି, ଯୁବକଙ୍କ ସଂଖ୍ୟା କମୁଛି

Published By : Prameya-News7 Bureau | September 24, 2024 IST

the print

ନୂଆଦିଲ୍ଲୀ: ଭାରତରେ ୧୯୭୧ ମସିହା ଠାରୁ କର୍ମ ଉପଯୋଗୀ ବୟସ ବର୍ଗ(working-age population)ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ଜନଗଣନାରେ ଏହା ୬୪.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏସ୍‌ବିଆଇ ଗବେଷଣା କରି ରିପୋର୍ଟ ଦେଇଛି। ୨୦୩୧ ସୁଦ୍ଧା କର୍ମ ଉପଯୋଗୀ ଆୟୁ ବର୍ଗର ଜନସଂଖ୍ୟା ୬୫.୨ ପ୍ରତିଶତ ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି। 

ଭାରତରେ କର୍ମ ଉପଯୋଗୀ ଆୟୁ ବର୍ଗ ୧୫- ୬୦ ରଖାଯାଇଥିଲା। ହେଲେ ୧୦୧୮ ପରଠାରୁ ବୟସ ସୀମାରେ ବୃଦ୍ଧି କରି ଏହା ୧୫-୬୪ କରାଯାଇଛି। ହେଲେ ଏସ୍‌ବିଆଇ ୧୫-୬୦ ବୟସ ବର୍ଗକୁ ନେଇ ଗବେଷଣା କରିଛି। ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗ ଜନସଂଖ୍ୟା ୧୯୯୧ରେ ୫୫.୪ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୦୧ ବେଳକୁ ଏଥିରେ ୫୬.୯ ପ୍ରତିଶତ, ଏବଂ ୨୦୨୧ ବେଳକୁ ୬୦.୭ ପ୍ରତିଶତ ଜନସଂଖ୍ୟା ବଢ଼ିଛି ବୋଲି ଏସ୍‌ବିଆଇ କହିଛି। 

ତେବେ ବାର୍ଷିକ ହାରରେ ଏହି ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ହାରାହାରି ବାର୍ଷିକ ଅଭିବୃଦ୍ଧି ଦେଖିଲେ ୧୯୭୧ରେ କର୍ମ ଉପଯୋଗୀ ଆୟୁ ବର୍ଗଙ୍କ ସଂଖ୍ୟା ୨.୨୦ ପ୍ରତିଶତ ଥିଲା। ତେବେ ୨୦୨୪ ବେଳକୁ ଏହା ୧.୦୦ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହି ଧାରାକୁ ଦେଖିଲେ ୨୦୨୪ ବେଳକୁ ଦେଶର ଜନସଂଖ୍ୟା ୧୩୮-୧୪୨ କୋଟି ମଧ୍ୟରେ ରହିବ ବୋଲି ଏସ୍‌ବିଆଇ କହିଛି। 

ତେବେ ମୋଟ ଜନସଂଖ୍ୟାର ଅଭିବୃଦ୍ଧି ଦେଖିଲେ ଭାରତର ଦକ୍ଷିଣ ରାଜ୍ୟ ମୁଖ୍ୟତଃ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଜନସଂଖ୍ୟା ହ୍ରାସ ପାଇଛି। ତେବେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ଯଥା ଉତ୍ତର ପ୍ରଦେଶ, ବିହାର ଆଦିରେ ଜନସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ମୋଟ ଜନସଂଖ୍ୟାର ୫୨ ପ୍ରତିଶତ କେବଳ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ରହିଛି। 

ଭାରତରେ ୧୩ ବର୍ଷ ହେବ ଜନଗଣନା ହୋଇ ନାହିଁ। ଶେଷଥର ୨୦୧୧ରେ ଜନଗଣନା ହୋଇଥିଲା। ପ୍ରତି ୧୦ ବର୍ଷରେ ଜନଗଣନା ହେବାର ଥିବାରୁ ୨୦୨୧ରେ ଏଥିପାଇଁ ପ୍ରସ୍ତୁତି କରାଯାଇଥିଲା। ହେଲେ କୋଭିଡ୍ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେବେଠାରୁ ଦେଶରେ ଆଉ ଜନ ଗଣନା ହୋଇ ନାହିଁ। ତେବେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଜନଗଣନା କରିପାରନ୍ତି। ଏଥିପାଇଁ ପ୍ରସ୍ତୁତି ଚାଲିଛ ବୋଲି କୁହାଯାଉଛି।  

ଦେଶର ଶାସନ ବ୍ୟବସ୍ଥା ସୁଚାରୁ ରୂପେ ଚଳାଇବା ପାଇଁ ଜନଗଣନା ଆବଶ୍ୟକତା ରହିଛି। କାରଣ ଏହାଦ୍ୱାରା ନୀତି ନିର୍ଣ୍ଣୟକାରୀଙ୍କୁ ସାମାଜିକ-ଅର୍ଥନୈତିକ ଏବଂ ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ମିଳେ। ଫଳରେ ସରକାର ସେହି ଅନୁସାରେ, ପଲିସି ତିଆରି କରନ୍ତି। 

୧୮୭୨ରେ ଦେଶରେ ପ୍ରଥମ ଜନଗଣନା ହୋଇଥିଲା। ହେଲେ ଏଥିରେ ଦେଶରେ ସବୁ ଭାଗରେ ଜନଗଣନା କରାଯାଇ ନଥିଲା। ଜନସଂଖ୍ୟା ଜନଗଣନାର ତଥ୍ୟ ଅନୁସାରେ, ୧୯୭୨ ମସିହା ଠାରୁ ଦେଶରେ ୦-୧୪ ଆୟୁ ବର୍ଗର ପିଲାମାନଙ୍କ ସଂଖ୍ୟା ଧୀରେ ଧୀରେ କମିଥିଲା। ହେଲେ ଏସ୍‌ବିଆଇ ଗ୍ରୁପ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷଙ୍କ ଦ୍ୱାରା ଲେଖାଯାଇଥିବା ଏସବିଆଇ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ୦-୧୪ ବର୍ଷ ବୟସର ପିଲାଙ୍କ ଅନୁପାତ ୨୦୨୪ ମସିହାରେ ୨୪.୩ ପ୍ରତିଶତକୁ ହ୍ରାସ ପାଇବା। ଯାହା ୨୦୧୧ରେ ୩୦.୯ ପ୍ରତିଶତ ଥିଲା।

ଅନ୍ୟପଟେ ୧୯୫୧ ମସିହା ଠାରୁ ବୟସ୍କ ବ୍ୟକ୍ତିଙ୍କ ଅନୁପାତ ନିୟମିତ ବାବେ ବଢ଼ି ଚାଲିଛି। ୨୦୨୪ରେ ଦେଶରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୧୦.୭ ପ୍ରତିଶତରେ ପହଞ୍ଚିବ। ଏହା ୨୦୩୧ ସୁଦ୍ଧା ୧୩.୧ ପ୍ରତିଶତକୁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଓଇସିଡି(ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ) ରିସର୍ଚ୍ଚକୁ କୋଟ୍ କରି ଏସ୍‌ବିଆଇ ତା ରିସର୍ଚ୍ଚରେ କହିଛି ଯେ ଆସନ୍ତା ଦଶନ୍ଧୀରେ ବିଶ୍ୱର ମୋଟ ଶ୍ରମ ବଳରେ ପାଖାପାଖି ୨୫ ପ୍ରତିଶତ ଯୋଗଦାନ ଭାରତର ରହିବ। ୨୦୩୦ ସୁଦ୍ଧା ଭାରତରେ କର୍ମ ଉପଯୋଗୀ ବୟସ ବର୍ଗ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିବ। କେବଳ ଭାରତରେ ଜନସଂଖ୍ୟା ବଢୁଛି ତାହା ନୁହେଁ, ବିକଶିତ ଦେଶମାନଙ୍କରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଏସ୍‌ବିଆଇ କହିଛି।

ଅନ୍ୟପଟରେ ଭାରତର ମଧ୍ୟମା ବୟସ(ମିଡିଆନ ଏଜ୍ ବା ମୋଟ ଜନସଂଖ୍ୟାର ମଧ୍ୟରେ ଥିବା ଆୟୁ ବର୍ଗ) ୨୦୨୧ ରେ ୨୪ ବର୍ଷ ଥିଲା। ଏହା ୨୦୨୩-୨୪ରେ ବଢ଼ି ୨୮-୨୯ ବର୍ଷକୁ ବୃଦ୍ଧି ପାଇବ ବୋଲି ଆଶା ଆକଳନ କରାଯାଉଛି। ତଥାପି ବାରତ ବିଶ୍ୱର ସବୁଠାରୁ ଯୁବ ସୁଲଭ ଦେଶ ବୋଲି କୁହାଯାଉଛି। ମିଡିଆନ ଏଜେକୁ ଆହୁରି ଟିକେ ସରଳ ଭାଷାରେ ବୁଝିବା।

ଦେଶର ମୋଟ ଜନସଂଖ୍ୟା ଯେତିକି ରହିଛି ସେତିକିରେ ଯେଉଁ ବୟସ ବର୍ଗର ଲୋକେ କମ୍‌ ନଥିବେ କି ବେଶି ନଥିବେ, ଏମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମଧ୍ୟଭାଗରେ ଥିବ। ତାକୁ ହିଁ ମଧ୍ୟମା ବଯୟ ବର୍ଗ କୁହାଯାଏ। 

ଏସ୍‌ବିଆଇ ରିପୋର୍ଟ ଅନୁସାରେ, ମଧ୍ୟ ଆୟୁବର୍ଗ ଦୃଷ୍ଟିରୁ ଭାରତ ଚୀନ ଠାରୁ ଭଲ ସ୍ଥିତିରେ ରହିଛି। କାରଣ ଚୀନରେ ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ବର୍ତ୍ତମାନ ସେଠାରେ ମଧ୍ୟମା ବୟସ ବର୍ଗ ୩୯.୫ ବର୍ଷ ରହିଛି। ହେଲେ ୨୦୧୧ରେ ଚୀନରେ ମଧ୍ୟମା ବୟସ ବର୍ଗ ୩୪.୫ ବର୍ଷ ଥିଲା। 

୧୯୮୧ ପଠାରୁ ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟଗତ ଚିକିତ୍ସା କାରଣରୁ ଦେଶରେ ମୃତ୍ୟ ସଂଖ୍ୟା କମିଛି। ତେଣୁ ୧୯୬୧ ମସିହାରୁ ଭାରତରେ ବୟସ୍କଙ୍କ ସଂଖ୍ୟା ଭଢ଼ିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.