ବର୍ଷାରେ ବେହାଲ ଗୁଜରାଟ: ଷ୍ଟେସନରେ ପଶିଲା ପାଣି, ଅନେକ ସହରରେ ବନ୍ୟା ସ୍ଥିତି

Published By : Prameya-News7 Bureau | July 01, 2023 IST

ନୂଆଦିଲ୍ଲୀ, ୦୧/୦୭: ମୌସୁମୀ ପ୍ରଭାବ​‌ରେ ଗୁଜରାଟରେ ବିଗତ କିଛି ଦିନରୁ ଜାରି ରହିଛି ପ୍ରବଳ ବର୍ଷା। ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ଷ୍ଟେସନ ଜଳମଗ୍ନ ହୋଇଛି ତ’ କେଉଁଠି ପୁଣି ନଦୀରେ ବନ୍ୟା। ବିଗତ ଦୁଇ ଦିନ ଧରି ଲାଗି ରହିଥିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ରାଜ୍ୟର ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ର (ଏସଇଓସି)। ବର୍ଷାକୁ ଦୃଷ୍ଟିରେ ରଖି ଏନଡିଆରଏଫ ଏବଂ ରାଜ୍ୟର ଏସଡିଆରଏଫ ଟିମ୍‌ କଚ୍ଛ, ଜାମନଗର, ଜୁନାଗଡ଼ ଏବଂ ନକ୍ସାରୀରେ ନିୟୋଜିତ କରାଯାଇଛି। କେବଳ ଗତ ୨୪ ଘଣ୍ଟାରେ ଜୁନାଗଡ଼ର ବିସାବଦର ତାଲୁକାରେ ସର୍ବାଧିକ ୩୯୮ ମିମି, କଚ୍ଛର ଅଞ୍ଜାରରେ ୨୩୩ ମିମି ଏବଂ ଜାମନଗରରେ ୨୧୦ ମିମି ବର୍ଷା ରେକର୍ଡ ହୋଇଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ସୌରାଷ୍ଟ୍ର-କଚ୍ଛ ଏବଂ ଦକ୍ଷିଣ ଗୁଜରାଟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହା ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଛି। ଅହମଦାବାଦ ସହରରେ ମଧ୍ୟ ଅନେକ ଅଞ୍ଚଳରେ ପାଣି ଭରିଛି। ଯାହାଦ୍ବାର ଟ୍ରାଫିକ୍‌ ଜାମ୍ ହୋଇଛି ଏବଂ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ପ୍ରବଳ ବର୍ଷା କାରଣରୁ କଚ୍ଛରେ ଗାନ୍ଧୀଧାମ ରେଲଓ୍ବେ ଷ୍ଟେସନ ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଛି। ଯେତେବେଳେକି ଜୁନାଗଡ଼, ଜାମନଗର, କଚ୍ଛ, ବଲସାଡ଼, ନବସାରୀ, ମେହସାଣା ଏବଂ ସୁରତରର ଅନେକ ଗ୍ରାମ ଏବଂ ସହରରେ ବନ୍ୟା ଆସିଛି।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ପଟେଲ ଶୁକ୍ରବାର ଗାନ୍ଧୀନଗରରେ ଏସଇଓସିରେ ଅଧିକାରୀଙ୍କ ସହ ଏକ ଜରୁରୀ ବୈଠକ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସପେଟେ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ, ଶନିବାର ରାଜ୍ୟରେ ବର୍ଷା କମିବ ଏବଂ ରବିବାର ସୁଦ୍ଧା ସ୍ଥିତି ସାମାନ୍ୟ ହେବ। ଅବଶ୍ୟ ବିଭାଗ ରବିବାର ସକାଳ ପର୍ଯ୍ୟନ୍ତ ଉତ୍ତର ଏବଂ ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଚେତାବନୀ ଜାରି କରିଛି।

ଏହି ସବୁ ସ୍ଥାନରେ ହୋଇଛି ଅଧିକ ବର୍ଷା:

ଏସଇଓସି ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଗୁଜରାଟର ୩୭ ତାଲୁକାରେ ଶୁକ୍ରବାର ୧୨ ସୁଦ୍ଧା ୩୦ ଘଣ୍ଟା ମଧ୍ୟରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଏଥିରେ ଜୁନାଗଡ଼ ଜିଲ୍ଲାର ବିସାବଦର ତାଲୁକାରେ ଶନିବାର ସକାଳ ୬ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩୯୮ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଜାମନଗର ଜିଲ୍ଲାର ଜାମନଗର ତାଲୁକାରେ ୨୬୯ ମିମି, ବଲସାଡ କପରାଡାରେ ୨୪୭ ମିମି, କଚ୍ଛରେ ଅଞ୍ଜା ୨୩୯ ମିମି ଏବଂ ନବସାରୀରେ ଖେରଗାମରେ ୨୨୨ ମିମି ସବୁଡୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ମୌସୁମୀ ଆରମ୍ଭରୁ ବର୍ଷା ବିତ୍ପାତ; ହିମାଚଳ ପ୍ରଦେଶରେ ୨୪ ମୃତ, ୫୦ରୁ ଅଧିକ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.