ରାହୁଲ ଗାନ୍ଧିଙ୍କ ନିକଟରେ ଦୁଇଟି ଦେଶର ନାଗରିକତା ? କେନ୍ଦ୍ରକୁ ରିପୋର୍ଟ ମାଗିଲେ ଲକ୍ଷ୍ନୌ ବେଞ୍ଚ୍

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ କଠୋର ହେଲେ ଅଦାଲତ । କଂଗ୍ରେସର ଏହି ବରିଷ୍ଠ ନେତା ଭାରତୀୟ ନାଗରିକ ନା ନୁହେଁ, ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ । ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ଦାୟର ହୋଇଥିବା ଚ୍ୟାଲେଞ୍ଜ ଆବେଦନର ସୋମବାର ଶୁଣାଣି ହୋଇଛି । ଆଦାଲତ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ରିପୋର୍ଟ ଦେବାକୁ କହିଛନ୍ତି । ୧୦ ଦିନ ଭିତରେ ଜବାବ ରଖିବାକୁ କୁହାଯାଇଛି । ଆସନ୍ତା ମେ’ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  

ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ କେନ୍ଦ୍ର ସରକାର:

ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା । ହେଲେ ଏଥିରେ ପର୍ଯ୍ୟାପ୍ତ ତଥ୍ୟ ନଥିବା କହିଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ । ଆବେଦନରେ ଦାବି କରାଯାଇଛି, ରାହୁଲ ଗାନ୍ଧିଙ୍କ ନାଗରିକତା ସନ୍ଦେହରେ ରହିଛି । ତେଣୁ ତାଙ୍କ ଲୋକସଭା ସଦସ୍ୟତାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି । ଲକ୍ଷ୍ନୌ ବେଞ୍ଚ୍ ଏହି ମାମଲାକୁ ଗମ୍ଭୀରତାର ସହ ନେଇ, ୧୦ ଦିନ ଭିତରେ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ତଲବ କରିଛନ୍ତି । ସୂଚନା ଅନୁଯାୟୀ, ରାହୁଲ ଗାନ୍ଧିଙ୍କ ନିକଟରେ ଦୁଇଟି ଦେଶର ନାଗରିକତା ରହିଛି । ଗୋଟିଏପଟେ ସେ ଭାରତର ନାଗରିକ ହୋଇଥିବା ବେଳେ ଅନ୍ୟପଟେ ବ୍ରିଟେନର ସିଟିଜେନସିପ୍ ରଖିଛନ୍ତି । 

୨୦୧୯ରେ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଥିଲେ:

ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟରେ ଏକ ଜନହିତକାରୀ ମାମଲା ଦାୟର ହୋଇଥିଲା । ହେଲେ ସର୍ବୋଚ୍ଚ ଅଦାଲତ ଏହାକୁ ଖରାଜ କରିଦେଇଥିଲେ । କୋର୍ଟ କହିଥିଲେ, କେବଳ କୌଣସି କମ୍ପାନିର ଜାଗଜପତ୍ରରେ ରାହୁଲ ଗାନ୍ଧି ବ୍ରିଟେନ୍ ନାଗରିକ ବୋଲି ଉଲ୍ଲେଖ ଥିଲେ, ରାହୁଲ ଗାନ୍ଧିଙ୍କୁ ବ୍ରିଟେନ୍ ନାଗରିକ ବୋଲି କୁହାଯାଇପାରିବ ନାହିଁ । ହେଲେ ୨୦୨୪ ଏବଂ ୨୦୨୫ରେ ରାହୁଲଙ୍କ ନାଗରିକତାକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ଏକ ମାମଲା ଦାୟର ହୋଇଛି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୫ ତାରିଖରେ ହେବ ।....  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.