ଝାଂସୀ ଅଗ୍ନିକାଣ୍ଡ ଯାଞ୍ଚ ଲାଗି ହାଇପାୱାର କମିଟି ଗଠିତ, ୭ ଦିନରେ ଦେବେ ରିପୋର୍ଟ

Published By : Prameya-News7 Bureau | November 16, 2024 IST

ଝାଂସୀ ୧୬।୧୧: ଉତ୍ତରପ୍ରଦେଶ (ୟୁପି) ସରକାର ଝାଂସୀ ମେଡିକାଲ କଲେଜ ହସ୍ପିଟାଲ ଶିଶୁୱାର୍ଡ ଅଗ୍ନିକାଣ୍ଡ ଘଟଣାର ଯାଞ୍ଚ ଲାଗି ଶନିବାର କମିଟି ଗଠନ କରିଛନ୍ତି। ୟୁପି ସ୍ୱାସ୍ଥ୍ୟ ବିଭାଗରେ ହାଇପାୱାର ଯାଞ୍ଚ କମିଟି ଗଠନ କରାଯାଇଛି। ଏଥିରେ ଡିଜି ଚିକିତ୍ସା ଶିକ୍ଷାଙ୍କ ଅଧ୍ୟକ୍ଷତାରେ ୪ ଜଣ ସଦସ୍ୟ ସାମିଲ ଅଛନ୍ତି। ଏହି କମିଟି ଆଗାମୀ ୭ ଦିନରେ ଶାସନକୁ ବିସ୍ତୃତ ଯାଞ୍ଚ ରିପୋର୍ଟ ଦେବେ।

ଝାଂସୀସ୍ଥିତ ବୁନ୍ଦେଲଖଣ୍ଡ କ୍ଷେତ୍ରର ସବୁଠୁ ବଡ଼ ସରକାରୀ ହସ୍ପିଟାଲ ମଧ୍ୟରୁ ଗୋଟିଏ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ (ଏନଆଇସିୟୁ)ରେ ଶୁକ୍ରବାର ରାତି ପ୍ରାୟ ୧୦ଟା ୪୫ ମିନିଟରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ ୧୦ଜଣ ନବଜାତ ଶିଶୁ ପୋଡି ହୋଇ  ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ହସ୍ପିଟାଲ ସୂତ୍ରରୁ ଦୁର୍ଘଟଣା କାଳରେ ୫୨-୫୪ଜଣ ଶିଶୁ ଏନଆଇସିୟୁରେ ଭର୍ତ୍ତିଥିଲେ। 

ଏଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଟି ପିଲାଙ୍କ ଚିକିତ୍ସା ଚାଲିଛି। ଝାଂସୀ ଅତିରିକ୍ତ ପୋଲିସ ଅଧିକ୍ଷକ (ସିଟି) ଜ୍ଞାନେନ୍ଦ୍ର କୁମାର ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଶନିବାର ୭ ଜଣ ଶିଶୁଙ୍କ ପୋଷ୍ଟମର୍ଟମ ହୋଇଛି। ବାକି ୩ଟି ଶିଶୁଙ୍କ ପୋଷ୍ଟମର୍ଟମ ହୋଇ ପାରିନାହିଁ। କାରଣ ଏହି ଶିଶୁମାନଙ୍କ ମାତାପିତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନି। 

ଏଥିରେ ୟୁପିର ଯୋଗୀ ସରକାର ପ୍ରତି ମୃତ ଶିଶୁଙ୍କ ଅଭିଭାବକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଂସୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଯୋଗୁ ପ୍ରାଣ ହରାଇଥିବା ପ୍ରତ୍ୟେକ ଶିଶୁଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁଗ୍ରହ ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଆହତ ଶିଶୁଙ୍କ ଚିକିତ୍ସା ନିମନ୍ତେ ପ୍ରଧାନମନ୍ତ୍ରୀ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.