ନୂଆଦିଲ୍ଲୀ: ସୁରକ୍ଷା ଏବଂ ସଂଚାଳନରେ ମଜଭୁତ୍ ପୃଷ୍ଠଭୂମି ଥିବା ଜଣେ ପୋଲିସ ଅଧିକାରୀ ହିନା ମୁନାୱରଙ୍କୁ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ପ୍ରଥମ ମହିଳା ଟିମ୍ ମ୍ୟାନେଜର ଭାବରେ ମନୋନୀତ କରାଯାଇଛି। ମୁନୱର, ଉଚ୍ଚ ବିପଦପୂର୍ଣ୍ଣ ବା ଦୁର୍ଗମ ଅଞ୍ଚଳରେ ଫ୍ରଣ୍ଟିୟର୍ କନଷ୍ଟାବୁଲରୀରେ ଭାବେ କାମ କରିଛନ୍ତି। ମୁନାୱରଙ୍କୁ ଫେବୃଆରୀ ୧୯ରେ କରାଚିରେ ଆରମ୍ଭ ହେବାକୁ ଥିବା ତ୍ରି ରାଷ୍ଟ୍ରୀୟ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନର ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଛି। ବରିଷ୍ଠ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ନାଭିଦ ଆକ୍ରମ ଚିମା ଦଳର ପରିଚାଳକ ଭାବରେ କାର୍ଯ୍ୟ ଜାରି ରଖିବେ। କିନ୍ତୁ ମୁନାୱରଙ୍କ ନିଯୁକ୍ତି କ୍ରିକେଟ ପ୍ରେମୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମ ମଧ୍ୟରେ କୌତୁହଳ ସୃଷ୍ଟି କରିଛି।
ସିଭିଲ୍ ସୁପିରିଅର ସର୍ଭିସେସ୍ ପରୀକ୍ଷାରେ ପାସ୍ କରିବା ପରେ, ମୁନାୱର ବିଭିନ୍ନ ଆଇନ ପ୍ରବର୍ତ୍ତନ ଏବଂ ସୁରକ୍ଷା ଭୂମିକାରେ କାର୍ଯ୍ୟ କରିଥିଲେ।ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହିତ ଜଡିତ ଏକ ସୂତ୍ର କହିଛି ଯେ, "ତାଙ୍କର ନିଯୁକ୍ତି ସମ୍ଭବତଃ ଦଳ ଭିତରେ ଏବଂ ଖେଳାଳି ଏବଂ ବୋର୍ଡ ମଧ୍ୟରେ କାର୍ଯ୍ୟକୁ ସୁଗମ କରିବା ପାଇଁ ଉଦ୍ଦିଷ୍ଟ, କାରଣ ସେ ରଣନୈତିକ ଏବଂ ନେତୃତ୍ୱ ଭୂମିକାରେ କାର୍ଯ୍ୟ କରିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକୁ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।"ଗତବର୍ଷ ପିସିବିରେ ଯୋଗ ଦେଇଥିବା ମୁନାୱରଙ୍କୁ ଏସିଆ କପ୍ ପାଇଁ ପାକିସ୍ତାନ ମହିଳା ଅଣ୍ଡର-୧୯ ଦଳର ପରିଚାଳିକା ମଧ୍ୟ ନିଯୁକ୍ତ କରାଯାଇଥିଲା।
ସୂତ୍ର ଅନୁସାରେ "ସେ SWATରେ ଫ୍ରଣ୍ଟିୟର୍ କନଷ୍ଟେବୁଲରୀରେ ପ୍ରଥମ ମହିଳା ଜିଲ୍ଲା ଅଧିକାରୀ ଭାବରେ ଇତିହାସ ରଚିଛନ୍ତି। ଏଥିସହ ପାରମ୍ପାରିକ ଭାବରେ ପୁରୁଷ-ପ୍ରଧାନ କ୍ଷେତ୍ରରେ ଲିଙ୍ଗଗତ ପ୍ରତିବନ୍ଧକକୁ ଭାଙ୍ଗିଛନ୍ତି।" ପିସିବି ଅଧ୍ୟକ୍ଷ ମୋହସିନ ନକଭି ମୁନାୱରଙ୍କୁ ପାକିସ୍ତାନ ପୋଲିସ ସେବାର ଅଂଶ ହୋଇଥିବାରୁ ତାଙ୍କୁ ଡେପୁଟେସନରେ ବୋର୍ଡରେ ସାମିଲ କରିଛନ୍ତି।