ଆପେ ଠିକ୍ ହୋଇଯାଏ HMP ଭାଇରସ୍, ଏମସ୍ ର ପୂର୍ବ ନିର୍ଦ୍ଦେଶକ କହିଲେ ସଂକ୍ରମିତଙ୍କ କେମିତି ନେବେ ଯତ୍ନ

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୭।୧:  ଭାରତରେ ମଧ୍ୟ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ବୃଦ୍ଧି ହେଉଛି। ତେବେ ଏଥି ପାଇଁ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି। ଏଥି ମଧ୍ୟରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍) ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ ମଙ୍ଗଳବାର କହିଛନ୍ତି ଯେ ଏଚଏମପିଭି ଚିକିତ୍ସାରେ ଆଣ୍ଟିବୋୟାଟିକ୍‌ ର କୌଣସି ଭୂମିକା ନାହିଁ। ଏହା ଶ୍ୱାସନ ସମ୍ପର୍କିତ ବେମାରୀ ଓ ଲୋକଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାକୁ ଓ ପୌଷ୍ଟିକ ଭୋଜନ କରିବାକୁ ପରାମର୍ଶ ଦେଇଛନ୍ତି।  

ଡା. ଗୁଲେରିଆ କହିଛନ୍ତି ଯେ ଏହି ଭୂତାଣୁ ଭାରତ ପାଇଁ ନୂଆ ନୁହେଁ। ଏହା ଅନେକ ପୂର୍ବରୁ ଦେଶରେ ରହିଛି। ଏଥିରେ କେବଳ ହାଲୁକା ସଂକ୍ରମଣ ହୋଇଥାଏ। ତେବେ ଶିଶୁ, ପିଲା, ବୟଷ୍କ ଓ ପୂର୍ବରୁ ଅସୁସ୍ଥ ଲୋକଙ୍କଠାରେ ଏହା ନିମୋନିଆର କାରଣ ହୋଇଯାଏ। ଏଣୁ ସେମାନଙ୍କ ନିଶ୍ୱସପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ। ଡା.ରଣଦୀପ ଗୁଲେରିଆଙ୍କ ଅନୁସାରେ ଏହି ଭୂତାଣୁ ସାଧାରଣତଃ ଆପେ ଆପେ ଠିକ୍ ହୋଇଯାଏ। ଯଦି ସଂକ୍ରମିତଙ୍କୁ ଜ୍ୱର ଆସେ ତେବେ ଔଷଧ ଖାଆନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ। 

ତେବେ ଡା. ଗୁଲେରିଆ କହିଛନ୍ତି ଯେ ସଂକ୍ରମିତ ହେଲେ ଭିଡଭାଡ ସ୍ଥାନକୁ ଯାଆନ୍ତୁ ନାହିଁ। ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥାଏ। ଭୂତାଣୁର ଚିକିତ୍ସା କେବଳ ଲକ୍ଷଣାତ୍ମକ। ଜ୍ୱର ଓ ଶରୀରର ଯନ୍ତ୍ରଣା କମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଯଦି କାସ ଓ ଶର୍ଦ୍ଦିର ଲକ୍ଷଣ ପ୍ରକାଶ ପାଏ ତେବେ ଆଣ୍ଟି ଏଲାର୍ଜୀ ଔଷଧ ବ୍ୟବହାର କରାଯାଇପାରେ। ଏହି ସଂକ୍ରମଣ ପାଇଁ ସ୍ୱତନ୍ତ୍ର ରୂପେ କୌଣସି ଆଣ୍ଟିବୟାଟିକ୍ ନାହିଁ। ଏହା ଏକ ଭୂତାଣୁ ସଂକ୍ରମଣ ଓ ଏଥି ପାଇଁ ଆଣ୍ଟିବୟାଟିକ୍ ର କୌଣସି ଭୂମିକା ନାହିଁ। 

ଉଲ୍ଲେଖ ଯୋଗ୍ୟ ଯେ ସାରା ଦେଶରେ ଏପର୍ଯ୍ୟନ୍ତ ଏଚଏମପିଭିର ୭ଟି ମାମଲା ମିଳିଲାଣି। ଏଥିରୁ କର୍ଣ୍ଣାଟକ ଓ ତାମିଲନାଡୁରୁ ୨ଟି ଲେଖାଏଁ ଅଭିଯୋଗ ମିଳିଥିବା ବେଳେ ଗୁଜରାଟରୁ ଗୋଟିଏ ମାମଲା ରିପୋର୍ଟ ହୋଇଛି। ଏହି ସବୁ ମାମଲା ୩ ମାସରୁ ୧୩ବର୍ଷ ବୟସର ପିଲାଙ୍କଠାରେ ଦେଖାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.