ଚୀନ ସହ ସମ୍ପର୍କ ସୁଧାରିବା ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ

Published By : Prameya-News7 Bureau | March 16, 2025 IST

indiatoday

ନୂଆଦିଲ୍ଲୀ: ଚୀନ ସହିତ ଥିବା ବିବାଦ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ପଡ଼ୋଶୀ ରହିଲେ ମତଭେଦ ହେବା ସ୍ୱାଭାବିକ। ତେବେ ଏହି ମତଭେଦ ଯେମିତି ବିବାଦରେ ପରିଣତ ନ ହେଉ ଏଥିପାଇଁ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆମେରିକା ପଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ମୋଦୀ । 

ଏବଂ ଚୀନ ସହିତ ସମ୍ପର୍କରେ ସୁଧାର ଧୀରେ ଧୀରେ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଚୀନ୍ ସହିତ ଦ୍ୱିପାକ୍ଷିକ ସମ୍ପର୍କରେ "ବିଶ୍ୱାସ, ଉତ୍ସାହ ଏବଂ ଶକ୍ତି" ଧୀରେ ଧୀରେ ଫେରି ଆସିବ କାରଣ ଏଥିରେ ପାଞ୍ଚ ବର୍ଷର ବ୍ୟବଧାନ ହୋଇଯାଇଥିଲା ବୋଲି ମୋଦୀ କହିଛନ୍ତି।

ସୂଚନା ଥାଉକି ୪ ବର୍ଷ ଧରି ତୀବ୍ର ସାମିରକ ଗତିବିଧି ପରେ ଶେଷରେ ୨୦୨୦ ମସିହାରେ ଦୁଇ ଦେଶ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହିଂସକ ଲଢ଼େଇ ହୋଇଥିଲା। ଏଥିରେ ଦୁଇ ଦେଶର ସମ୍ପର୍କ ଖରାପ ହୋଇଯାଇଥିଲା। ତେବେ ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ, ଭାରତ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ପାଟ୍ରୋଲିଂ ପାଇଁ ଚୀନ୍ ସହିତ ଏକ ଚୁକ୍ତିନାମା କରିଛି ବୋଲି ଘୋଷଣା କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ଛକାପଞ୍ଝା ବନ୍ଦ ହୋଇଥିଲା। 

ପଢନ୍ତୁ- ଚୀନ୍‌ରେ ଇଣ୍ଟରନେଟ୍ ବ୍ୟବହାର ଉପରେ ଲାଗିବ ରୋକ୍ ! ସରକାର ଲଗାଇବେ ଲିମିଟ୍‌

ଏନେଇ ମୋଦୀ କହିଛନ୍ତି “୨୦୨୦ ମସିହାରେ, ସୀମାରେ ଘଟିଥିବା ଘଟଣାଗୁଡ଼ିକ ଆମ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ନିକଟରେ ରାଷ୍ଟ୍ରପତି ଜିନପିଙ୍ଗ ସହ ମୋର ସାକ୍ଷାତ ପରେ, ସୀମାରେ ସ୍ୱାଭାବିକତା ଫେରିଛି। ଆମେ ଏବେ ୨୦୨୦ ପୂର୍ବର ପରିସ୍ଥିତିକୁ ଫେରାଇ ଆଣିବା ପାଇଁ କାମ କରୁଛୁ।”

ଏଇଠି କହି ରଖୁଛୁ ଯେ ଗତ ବର୍ଷ ଅକ୍ଟୋବରରେ, ପ୍ରଧାନମନ୍ତ୍ରୀ ମୋଦି ରୁଷର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଜିନପିଙ୍ଗଙ୍କ ସହ ସାକ୍ଷାତ କରିଥିଲେ। ସୀମାର ଲାଗିଥିବା ଅଚଳାବସ୍ଥାର ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କର ପ୍ରଥମ ବୈଠକ ଥିଲା। ଉଭୟ ନେତା ପୂର୍ବ ଲଦାଖରେ LAC ରେ ପାଟ୍ରୋଲିଂ ଏବଂ ସୈନ୍ୟ ପ୍ରତ୍ୟାହାର ଉପରେ ହୋଇଥିବା ଭାରତ-ଚୀନ୍ ଚୁକ୍ତିନାମାକୁ ଅନୁମୋଦନ କରିଥିଲେ ଏବଂ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା ବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ।

ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପରିବାରରେ ମଧ୍ୟ ବେଳେବେଳେ ମତଭେଦ ଘଟିବା ନିଶ୍ଚିତ। ତେବେ ଏହି ମତଭେଦ ଯେପରି ବିବାଦରେ ପରିଣତ ନହୁଏ ତାର ସମାଧାନ ପାଇଁ ଭାରତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।

ମୋଦୀ କହିଛନ୍ତି “"ଆମ(ଭାରତ-ଚୀନ) ସମ୍ପର୍କ ଭବିଷ୍ୟତରେ ମଜବୁତ ରହିବା ଉଚିତ ଏବଂ ଆଗକୁ ବଢ଼ିବା ଉଚିତ। ଯେତେବେଳେ ଦୁଇଟି ପଡ଼ୋଶୀ ଦେଶ ଥାଏ ସେତେବେଳେ ମତଭେଦ ସ୍ୱାଭାବିକ। ସବୁକିଛି ଠିକଠାକ୍ ନଥାଏ। ମତଭେଦ ବଦଳରେ, ଆମେ ଆଲୋଚନାକୁ ଗୁରୁତ୍ୱ ଦେଉଛୁ। କାରଣ ଆଲୋଚନା ମାଧ୍ୟମରେ ହିଁ ଆମେ ଏକ ସ୍ଥିର ଏବଂ ସହଯୋଗପୂର୍ଣ୍ଣ ସମ୍ପର୍କ ଗଠନ କରିପାରିବା। ଯାହା ଉଭୟ ରାଷ୍ଟ୍ରର ସର୍ବୋତ୍ତମ ସ୍ୱାର୍ଥ ପାଇଁ ସହାୟକ ହେବ।”

ସୀମା ବିବାଦକୁ ସ୍ୱୀକାର କରି ମୋଦୀ କହିଛନ୍ତି “ଏହା ସତ ଯେ ଆମ ମଧ୍ୟରେ ସୀମା ବିବାଦ ଚାଲିଛି। ଧୀରେ ଧୀରେ ହେଉ ପଛେ କିନ୍ତୁ ନିଶ୍ଚିତ ଭାବରେ, ବିଶ୍ୱାସ, ଉତ୍ସାହ ଏବଂ ଶକ୍ତି ଫେରି ଆସିବ। ଆମ ଭିତରେ ପାଞ୍ଚ ବର୍ଷର ବ୍ୟବଧାନ ରହିଯାଇଥିଲା। ତେଣୁ ଏଥିପାଇଁ କିଛି ସମୟ ଲାଗିବ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.