ଚାମ୍ପିଅନ୍‌ ଟ୍ରଫିକୁ ନେଇ ସସ୍‌ପେନ୍ସ ଜାରି; ହାଇବ୍ରିଡ୍‌ ମଡେଲ୍‌ ପାଇଁ ରାଜି ପାକିସ୍ତାନ, କିନ୍ତୁ ରଖିଛି ସର୍ତ୍ତ...

Published By : Prameya-News7 Bureau | December 01, 2024 IST

ନୂଆଦିଲ୍ଲୀ ୦୧।୧୨: ୨୦୨୫ ଚାମ୍ପିଅନ୍‌ ଟ୍ରଫି । ଆରମ୍ଭ ହେବାକୁ ଆଉ ବାକି ରହିଛି ୯୦ରୁ କମ୍‌ ଦିନର ସମୟ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସିଡ୍ୟୁଲ କିମ୍ବା ଭେନ୍ୟୁ ଠିକ୍‌ ହୋଇପାରିନି । ବର୍ତ୍ତମାନ ଯାଏଁ ଟୁର୍ଣ୍ଣାମେଣ୍ଟକୁ ନେଇ ଜାରି ରହିଛି ସସପେନ୍ସ । ଆଗାମୀ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ପାକିସ୍ତାନ । କିନ୍ତୁ ଭାରତ ଏଠାକୁ ଯିବାକୁ ମନା କରିବା ପରେ ନିଶ୍ଚିତ ଯେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ । 

PCB କିଛି ସର୍ତ୍ତ ସହିତ ଚାମ୍ପିଅନ୍‌ ଟ୍ରଫି ୨୦୨୫କୁ ହାଇବ୍ରିଡ୍‌ ମଡେଲରେ କରିବାକୁ ରାଜି ହୋଇଛି । କିନ୍ତୁ ପିସିବି ଚାମ୍ପିଅନ୍‌ ଟ୍ରଫିକୁ ହାଇବ୍ରିଡ୍‌ ମଡେଲ୍‌ରେ କରିବାକୁ କିଛି ସର୍ତ୍ତ ରଖିଛି । ପିସିବି କହିଛି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍‌ ମଡେଲ କରିବାକୁ ରାଜି ଅଛି କିନ୍ତୁ ଆଇସିସି ୨୦୩୧ ଯାଏଁ ଭାରତରେ ହେବାକୁ ଥିବା ଓ୍ବାର୍ଲ୍ଡ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ କରିବାକୁ ପଡିବ । କିନ୍ତୁ ଏହି ସର୍ତ୍ତକୁ ଗ୍ରହଣ କରାଯିବନି । କାରଣ ଭାରତରେ କୌଣସି ବି ଦେଶର ଟିମ୍‌ଙ୍କର ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । 

ପାକିସ୍ତାନର ସର୍ତ୍ତ ହେଉଛି କି ସେ ଚାହୁଁଛି ଯେ ଆଇସିସି ବୋର୍ଡ ଆର୍ଥିକ ଚକ୍ରରେ ରାଜସ୍ୱର ଅଂଶ ୫.୭୫ ପ୍ରତିଶତରୁ ବୃଦ୍ଧି କରନ୍ତୁ ଏବଂ ନାକଭି ଏହା ଉପରେ ହିଁ ଜିଦ୍ ଧରି ବସିଛନ୍ତି । କିନ୍ତୁ ସେ ହୋଷ୍ଟିଂ ଆୟୋଜନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ମାଗି ନାହାଁନ୍ତି । ୨୦୩୧ ଯାଏଁ ଭାରତ ଆଇସିସିର ୩ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଶ୍ରୀଲଙ୍କା ସହିତ ମିଶି ୨୦୨୬ ଟି-୨୦ ବିଶ୍ୱକପ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ବାଂଲାଦେଶ ସହିତ ମିଶି ୨୦୩୧ ODI ବିଶ୍ୱକପ ଆୟୋଜନ କରିବ । 

ଏହାକୁ ଦେଖିଲେ ବାଂଲାଦେଶ ଏବଂ ଶ୍ରୀଲଙ୍କା ୨ ଟୁର୍ନାମେଣ୍ଟର ସହ-ହୋଷ୍ଟ ରହିଛନ୍ତି । ଏଥିପାଇଁ ଭାରତର ଯାତ୍ରା କରିବାକୁ ପାକିସ୍ତାନକୁ ବାଧ୍ୟ କରାଯିବ ନାହିଁ। ତେବେ ବିବାଦର କେନ୍ଦ୍ରବିନ୍ଦୁ ହୋଇପାରେ ୨୦୨୯ ଚାମ୍ପିଅନ୍‌ ଟ୍ରଫି । ଏହି ଟ୍ରଫି ଭାରତ ଏକା ହିଁ ଆୟୋଜନ କରିବ । ଅନ୍ୟ ଏକ ବିବାଦ ଆସନ୍ତା ବର୍ଷ ଅକ୍ଟୋବରରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଓ୍ବାନଡେ ବିଶ୍ୱକପ ହୋଇପାରେ । ଯାହାକୁ ଭାରତ ଆୟୋଜନ  କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.