ଆଇସିସିର ଚେୟାରମ୍ୟାନ ଦାୟିତ୍ଵ ସମ୍ଭାଳିଲେ ଜୟ ଶାହ, କହିଲେ ଭବିଷ୍ୟତର ଯୋଜନା

Published By : Prameya-News7 Bureau | December 01, 2024 IST

aajtak

ନୂଆଦିଲ୍ଲୀ: ଜୟ ଶାହ ଡିସେମ୍ବର ୧ ତାରିଖ ରବିବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୩୬ ବର୍ଷୀୟ ଶାହ ନ୍ୟୁଜଲାଣ୍ଡର ଗ୍ରେଗ ବାର୍କଲେଙ୍କ ସ୍ଥାନ ନେଇଛନ୍ତି। ଚଳିତ ମାସରେ ଏହି ପଦ ପାଇଁ ସେ ନିଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ଶାହ ଆଇସିସିର ଏହି ସର୍ବୋଚ୍ଚ ପଦ ସମ୍ଭାଳିବାରେ ପଞ୍ଚମ ଭାରତୀୟ। ତାଙ୍କ ପୂର୍ବରୁ ଜଗମୋହନ ଡାଲମିୟା, ଶରଦ ପାଓ୍ଵାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ସର୍ବୋଚ୍ଚ ଦାୟିତ୍ଵ ସମ୍ଭାଳିଥିଲେ।

ଉଲ୍ଲେଖନୀୟ ଜଗମୋହନ ଡାଲମିୟା ଓ ଶରଦ ପାଓ୍ଵାର ଆଇସିସିର ସଭାପତି ହୋଇଥିବା ବେଳେ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ହୋଇଥିଲେ। ଆଇସିସିରେ ସଭାପତି ପଦ ୨୦୧୬ରେ ସମାପ୍ତ କରାଯାଇଥିଲା। ଜାହିର ଅବାସ ଆଇସିସିର ଶେଷ ସଭାପତି ଥିଲେ। ୨୦୧୪ରେ ଏନ ଶ୍ରୀନିବାସନ ଆଇସିସିର ପ୍ରଥମ ଚେୟାରମ୍ୟାନ ଦାୟିତ୍ଵ ଗ୍ରହଣ କରିଥିଲେ। ସେହି ସମୟରେ ଆଇସିସିରେ ଉଭୟ ସଭାପତି ଓ ଅଧ୍ୟକ୍ଷ ପଦ କିଛି ବର୍ଷ ଧରି ଚାଲିଥିଲା।




ଜୟ ଶାହ ଆଇସିସିର ଶୀର୍ଷ ପଦରେ ବସିବାରେ ସର୍ବକନିଷ୍ଠ ପ୍ରଶାସକ। ଶାହ ଦାୟିତ୍ଵ ଗ୍ରହଣ କରିବା ପରେ କହିଛନ୍ତି, ମୁଁ ଏହି ଦାୟିତ୍ଵ ଗ୍ରହଣ କରି ନିଜକୁ ଗୌରବାନ୍ଵିତ ମନେ କରୁଛି। ମୁଁ ଆଇସିସିର ନିବେଶକ ଓ ବୋର୍ଡ ସଦସ୍ୟଙ୍କ ସମର୍ଥନ ଏବଂ ବିଶ୍ଵାସ ପାଇଁ କୃତଜ୍ଞ। ଏହା କ୍ରୀଡ଼ା ପାଇଁ ଏକ ରୋମାଞ୍ଚକର ସମୟ, କାରଣ ଆମେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ(୨୦୨୮) ପାଇଁ ପ୍ରସ୍ତୁତି କରୁଛି। ଆମେ ସମଗ୍ର ଦୁନିଆର ପ୍ରଶଂସକଙ୍କ ପାଇଁ କ୍ରିକେଟ୍‌କୁ ଆହୁରି ଲୋକାଭିମୁଖୀ ଓ ରୋମାଞ୍ଚକର କରିବା ଦିଗରେ କାମ କରୁଛୁ। 

ଶାହ ଏହା ମଧ୍ୟ କହିଛନ୍ତି, ଆମେ ଅନେକ ଫର୍ମାଟ୍‌ର ଅସ୍ଥିତ୍ଵ ସହ ମହିଳା କ୍ରିକେଟ୍‌ର ବିକାଶକୁ ଅଧିକ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। କ୍ରିକେଟ୍‌ରେ ବିଶ୍ଵସ୍ତରରେ ଅପାର ସମ୍ଭାବନା ରହିଛି। ମୁଁ ଏହି ଅବସରର ଲାଭ ଉଠାଇବା ଓ କ୍ରୀଡ଼ାକୁ ନୂତନ ଶିଖର ନେଇଯିବା ପାଇଁ ଆଇସିସି ସହ ସଦସ୍ୟ  ଦେଶଙ୍କ ସହ ମିଶି କାମ କରିବା ପାଇଁ ଉତ୍ସୁକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.