ହାଇବ୍ରିଡ ମୋଡେଲ୍ ଉପରେ ସହମତି ହେଲା ପାକିସ୍ତାନ, କିନ୍ତୁ ରଖିଲା ଦୁଇଟି ସର୍ତ୍ତ !

Published By : Prameya-News7 Bureau | November 30, 2024 IST

aajtak

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା। ମାତ୍ର ଭେନ୍ୟୁ ଓ କ୍ରୀଡ଼ାସୂଚୀକୁ ନେଇ ଏବେ ବି  ସସପେନ୍ସ ଲାଗି ରହିଛି। ସୁରକ୍ଷା କାରଣରୁ ଭାରତୀୟ ଦଳକୁ ପାକିସ୍ତାନ ପଠାଯିବ  ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରି ସାରିଛନ୍ତି। ତେଣୁ ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଉ ବୋଲି ଭାରତ କହିଛି। ପାକିସ୍ତାନ ହାଇବ୍ରିଡ ମୋଡେଲ୍ ଗ୍ରହଣ କରିବ ନାହିଁ ବୋଲି ନିଜ ଜିଦିରେ ଅଟଳ ଥିଲା। ତେଣୁ  ଜାରି ଗତିରୋଧର ସମାଧାନ ପାଇଁ ନଭେମ୍ବର ୨୯ରେ ଆଇସିସି ଜରୁରୀକାଳୀନ ବୈଠକ ଡକାଇଥିଲା। ଏଥିରେ ଆଇସିସି ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ, ହାଇବ୍ରିଡ ମୋଡେଲ୍‌କୁ ଗ୍ରହଣ କର ନ ନଚେତ୍ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର ହାତରୁ ଖସିବ। ସଦ୍ୟତମ ସୂଚନା ଅନୁ୍ଯାୟୀ ପାକିସ୍ତାନର ଆଭିମୁଖ୍ୟ ନରମ ପଡ଼ିଛି। 

ଆଜତକର ସୂତ୍ର ଅନୁସାରେ ପିସିବି ହାଇବ୍ରିଡ ମୋଡେଲ୍ ଉପରେ ପାକିସ୍ତାନ ସହମତି ହୋଇଛି। କିନ୍ତୁ ଏଥିପାଇଁ ପାକିସ୍ତାନ ଆଇସିସି ସାମ୍ନାରେ ଦୁଇଟି ସର୍ତ୍ତ ରଖିଛି। ପ୍ରଥମ ସର୍ତ୍ତ ଲାହୋରକୁ ଫାଇନାଲ୍ ମ୍ୟାଚ୍ ପାଇଁ  ବ୍ୟାକଅପ୍‌ରେ ରଖାଯାଉ। ଯଦି ଭାରତ ଫାଇନାଲ୍ ନ ପହଞ୍ଚେ ତେବେ ଲାହୋରରେ ଟାଇଟଲ୍ ମୁକାବିଲା ଖେଳାଯାଉ। ଦ୍ଵିତୀୟ ସର୍ତ୍ତ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯାଏ ତେବେ ସେହି ସମୟରେ ମଧ୍ୟ ହାଇବ୍ରିଡ ମୋଡେଲ୍ ଲାଗୁ କରାଯାଉ। ଭାରତୀୟ ଦଳ ପରି ପାକିସ୍ତାନ ମଧ୍ୟ ଭାରତ ପରିବର୍ତ୍ତେ ନିଜର ମ୍ୟାଚ୍ ଅନ୍ୟ ଦେଶରେ ଖେଳିବ। 

ଏହା ପୂର୍ବରୁ ନଭେମ୍ବର ୨୯ରେ ବସିଥିବା ବୈଠକରେ ଆଇସିସି ପିସିବିକୁ ଅଲଟିମେଟମ ଦେଇଥିଲା। ପିସିବିକୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ହାଇବ୍ରିଡ ମୋଡେଲ୍ ଗ୍ରହଣ କର ନଚେତ ପ୍ରତିଯୋଗିତାରୁ ବାହାରି ଯିବାକୁ ପ୍ରସ୍ତୁତ ରୁହ। ଏବେ ଆଇସିସି ପିସିବିର ଆନୁଷ୍ଠାନିକ ଉତ୍ତରକୁ ଅପେକ୍ଷା କରିଛି। ଏବେ ଆଇସିସି ତେବେ ବୈଠକ ଡକାଇବ ଯେବେ ପାକିସ୍ତାନ ନିଜର ଜବାବ ସହିତ ପ୍ରସ୍ତୁତ ହେବ।

ପାକସ୍ତାନ ହାଇବ୍ରିଡ ମୋଡେଲ୍ ସ୍ଵୀକାର କଲେ ଭାରତର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳାଯିବ। ବାକି ସମସ୍ତ ମୁକାବିଲା ପାକିସ୍ତାନରେ ଆୟୋଜିତ ହେବ। ଯଦି ଟୁର୍ଣ୍ଣାମେଣ୍ଟ ହାତରୁ ଖସେ ତେବେ ପିସିବି ୫୯.୭୩  କୋଟି ଟଙ୍କା ଆୟୋଜକ ଶୁଳ୍କ ହରାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.