ଶ୍ରୀଲଙ୍କାକୁ ହରାଇ WTC ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ କଲା ଦ.ଆଫ୍ରିକା, ଭାରତର ଘଟିଲା କ୍ଷତି ?

Published By : Prameya-News7 Bureau | November 30, 2024 IST

abp live

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ୨୩୩ ରନରେ ହରାଇ ବଡ଼ ବିଜୟ ହାସଲ କରିଛି। ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଅଙ୍କ ତାଲିକାରେ ବଡ଼ ପରିବର୍ତ୍ତନ କରିଛି। ଶ୍ରୀଲଙ୍କାର ପରାଜୟରେ ଭାରତୀୟ ଦଳର କୌଣସି କ୍ଷତି ଘଟି ନ ଥିଲେ  ହେଁ ପଏଣ୍ଟ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୌଡ଼ ଆହୁରି ରୋଚକ ହୋଇଛି। 

ସଂପ୍ରତି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳା ଯାଉଛି। ସିରିଜ୍‌ର ପ୍ରଥମ ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି। ଏହା ପୂର୍ବରୁ ଦଳ ପଞ୍ଚମରେ ଥିଲା। ଦକ୍ଷିଣ ଆଫ୍ରିକାର ଏହି ବିଜୟରେ ଭାରତୀୟ ଦଳର କୌଣସି କ୍ଷତି ଘଟିନି। ଦଳ ପୂର୍ବବତ ଶୀର୍ଷ ସ୍ଥାନରେ ରହିଛି। ଭାରତୀୟ ଦଳର ବିଜୟ ପ୍ରତିଶତ ୬୧.୧୧ ରହିଛି। ଭାରତ ୨୦୨୩-୨୫ ଡବ୍ଲ୍ୟୁଟିସି ଚକ୍ରରେ ୧୫ ଟେଷ୍ଟ ଖେଳି ୯ଟି ଜିତିଥିବା ବେଳେ ୫ଟି ହାରିଛି ଓ ଗୋଟିଏ ମ୍ୟାଚ୍ ଡ୍ର ରହିଛି। 

Also read: ହାଇବ୍ରିଡ ମୋଡେଲ୍ ଉପରେ ସହମତି ହେଲା ପାକିସ୍ତାନ, କିନ୍ତୁ ରଖିଲା ଦୁଇଟି ସର୍ତ୍ତ !

ବିଜୟ ପରେ ଦକ୍ଷିଣ ଆଫ୍ରିକା ଦ୍ଵିତୀୟକୁ ଉଠିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟକୁ ଖସି ଆସିଛି। ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୫୯.୨୬ ହୋଇଥିବାବେଳେ ତୃତୀୟରେ ଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୭.୬୯ ପ୍ରତିଶତ ରହିଛି। ୫୪.୫୫ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି।  ପ୍ରଥମ ମ୍ୟାଚ୍ ହାରିଥିବା ଶ୍ରୀଲଙ୍କା ଅଙ୍କ ତାଲିକାରେ ପଞ୍ଚମରେ ରହିଛି। ଦଳର ବିଜୟ ପ୍ରତିଶତ ୫୦କୁ ଖସି ଆସିଛି। ଶ୍ରୀଲଙ୍କା ଏ ପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଖେଳି ୫ ବିଜୟ ଓ ୫ ପରାଜୟ ଭୋଗିଛି। ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରେ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.