ହାଇବ୍ରିଡ୍ ମଡେଲ ଉପରେ ମୋହର ମାରିଲା ICC, ଏହି ଦେଶରେ ନିଜ ମ୍ୟାଚ୍ ଖେଳିବ ଭାରତ; ପାକିସ୍ତାନକୁ ମିଳିବନି କ୍ଷତିପୂରଣ

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ହାଇବ୍ରିଡ୍ ମେଡଲକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ମଞ୍ଜୁରି ଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ବିସିସିଆଇ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌କୁ ନେଇ ସହମତି ହୋଇଛି । ଭାରତୀୟ ଟିମ୍ ଦୁବାଇରେ ନିଜର ସମସ୍ତ ମ୍ୟାଚ୍ ଖେଳିବ । ଅନ୍ୟସବୁ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ । ଏହା ବ୍ୟତୀତ ୨୦୨୬ ଟି-୨୦ ବିଶ୍ୱକପ ଯାଏ ପାକିସ୍ତାନ, ଭାରତ ବିପକ୍ଷରରେ ଲିଗ୍ ପର୍ଯ୍ୟାୟ ମୁକାବିଲା ପାଇଁ ଭାରତ ଗସ୍ତ କରିବ ନାହିଁ । ଏହି ମୁକାବିଲା କଲମ୍ୱୋରେ ଖେଳାଯିବ ।

ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଏଥିପାଇଁ ଆର୍ଥିକ କ୍ଷତିପୂରଣ ମିଳିବ ନାହିଁ । ତେବେ ୨୦୨୭ ପରେ ଆଇସିସି ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପିସିବି ଅଧିକାର ହାସଲ କରିଛି । ପାକିସ୍ତାନ ଗତ ସପ୍ତାହରେ ଆଇସିସିର ପ୍ରଥମ ବୈଠକରେ ବହିଷ୍କାର ଧମକ ଫେରାଇ ନେବା ସହ ହାଇବ୍ରିଡ୍ ମଡେଲ ଉପରେ ସହମତି ଦେଇଥିଲା । ଏହାସହ ୨୦୩୧ ପର୍ଯ୍ୟନ୍ତ ଏହିପରି ବ୍ୟବସ୍ଥା ଚାଲୁ ରଖିବା ପାଇଁ ଦାବି କରିଥିଲା । ତେବେ ୨୦୨୬ ଯାଏ ନିଜର ସମସ୍ତ ପ୍ରତିଯୋଗିତାକୁ ହାଇବ୍ରିଡ୍ ମଡେଲରେ କରିବା ପାଇଁ ଆଇସିସି ରାଜି ହୋଇଛି । ଏହି ଅବଧିରେ ଭାରତ ଆସନ୍ତା ବର୍ଷ ଅକ୍ଟୋବରରେ ମହିଳା ଦିନିକିଆ ବିଶ୍ୱକପ ଏବଂ ଶ୍ରୀଲଙ୍କା ସହ ମିଳିତ ଭାବେ ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ କରିବ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବା ପାଇଁ ଅନୁମତି ଦେଇନଥିଲେ । ତେଣୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ହାଇବ୍ରିଡ୍ ମଡେଲ ଏକମାତ୍ର ବିକଳ୍ପ ଥିଲା । ବିସିସିଆଇ ଚିଠି ଲେଖି ଏହି ନିଷ୍ପତ୍ତି ବାବଦରେ ଆଇସିସିକୁ ଅବଗତ କରାଇଥିଲା । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ଜୋରଦାର ବିରୋଧ କରିଥିଲା । କିନ୍ତୁ ବିସିସିଆଇ ଆଗରେ ପାକିସ୍ତାନ ବୋର୍ଡକୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ୧୯୯୬ ବିଶ୍ୱକପ ଆୟୋଜନ ପରେ ଏହା ପାକିସ୍ତାନର ପ୍ରଥମ ଆଇସିସି ଇଭେଣ୍ଟ । ଗତ ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯାଇଥିଲା । ସେତେବେଳେ ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କା ଖେଳିଥିଲା । ୨୦୧୨ ପରଠୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.