ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲର ଲୋକପ୍ରିୟତା କାହାରିକୁ ଅଛପା ନାହିଁ। ଆଇପିଏଲର ପ୍ରତିଟି ମ୍ୟାଚ ପାଇଁ ଲୋକଙ୍କ ମନରେ ରହିଛି ଅହେତୁକ ଉତ୍କଣ୍ଠା। ମ୍ୟାଚ ସହ ପ୍ରତିଟି ଫ୍ରାଞ୍ଚାଇଜି ଏବଂ ଏହାର ଖେଳାଳିଙ୍କୁ ନେଇ ମଧ୍ୟ ଫ୍ୟାନଙ୍କ ମଧ୍ୟରେ ଏକ ଅଲଗା କ୍ରେଜ ରହିଛି। ଏମିତିରେ ଆଇପିଏଲରେ ବିଜ୍ଞାପନ ଦେବାକୁ କମ୍ପାନିଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ପ୍ରତିଯୋଗିତା। ବିଶେଷ କରି ଆଇପିଏଲରେ ଫ୍ରଣ୍ଟ ଅଫ୍ ଜର୍ସୀ ସ୍ପନସରସିପ ବେଶ ଲାଭଦାୟକ ହୋଇଥାଏ। ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ବେଶ୍ ସହାୟକ ହୋଇଥାଏ। ଆଉ କମ୍ପାନି କିମ୍ବା ସଂସ୍ଥାକୁ ଆଣିଦେଇଥାଏ ବଡ଼ ସଫଳତା।
ଏହି କ୍ରମରେ ଭାରତୀୟ ଇଲେକ୍ଟ୍ରିକ ଏବଂ ଅଟୋମେସନ କ୍ଷେତ୍ରର ଏକ ପ୍ରମୁଖ କମ୍ପାନି ଏବଂ ଶ୍ନାଇଡର ଇଲେକ୍ଟ୍ରିକ ଗ୍ରୁପ୍ର ଲରିଟଜ ନୁଡସେନ ଇଲେକ୍ଟ୍ରିକ୍ ଆଣ୍ଡ୍ ଆଟୋମେସନ, ମୁମ୍ବାଇ ଇଣ୍ଡିଆନ୍ସ ସହ ଫ୍ରଣ୍ଟ ଅଫ୍ ଜର୍ସୀ ସ୍ପନସରସିପରେ କରିଛି ଐତିହାସିକ ଡିଲ। ଏହି ଡିଲ୍ ଅନୁଯାୟୀ, ଲରିଟଜ ନୁଡସେନ ଆଇପିଏଲର ୨୦୨୫ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ରଣ୍ଟ ଅଫ୍ ଜର୍ସୀ ସ୍ପନସରସିପ୍ କରିବ। ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଏହି ଡିଲ ୪୦ କୋଟି ଟଙ୍କାରେ ବର୍ଷକୁ କିମ୍ବା ୧୨୦ କୋଟି ଟଙ୍କାରେ ତିନି ବର୍ଷ ପାଇଁ ହୋଇପାରେ। ଏହି ଡିଲକୁ ଆଇପିଏଲ ଇତିହାସରେ ସବୁଠୁ ବଡ଼ ଜର୍ସୀ ଡିଲ୍ ସ୍ପନସରସିପ୍ କୁହାଯାଉଥିବାବେଳେ କମ୍ପାନି ନିଜର ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଉଦ୍ୟମ କରିବ ତଥା ଭାରତର ଇଲେକ୍ଟ୍ରିକ୍ କ୍ଷେତ୍ରରେ ନିଜର ଗୁରୁତ୍ବକୁ ଆହୁରି ବଢ଼ାଇବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରାୟ ୫ କୋଟି ଫ୍ୟାନ୍ ରହିଛନ୍ତି।
ଲରିଟଜ ନୁଡସେନ ହେଉଛି ଶ୍ନାଇଡର ଇଲେକ୍ଟ୍ରିକ ଗ୍ରୁପ ଇଣ୍ଡିଆର ଅଂଶ, ଏହାର ପୁରୁଣା ନାଁ ଥିଲା L&T ସ୍ବିଚଗିୟର। ପ୍ରକୃତରେ ୨୦୨୦ରେ ଶ୍ନାଇଡର ଇଲେକ୍ଟିକ୍ ୧୪ ହଜାର କୋଟି ଟଙ୍କାରେ L & Tର ଇଲେକ୍ଟ୍ରିକ ଏବଂ ଅଟୋମେସନ ବ୍ୟବସାୟ L & T ସ୍ବିଚଗିୟରକୁ ଅଧିଗ୍ରହଣ କରିଥିଲା। ଆଉ ରିବ୍ରାଣ୍ଡିଂ ପରେ L & T ସ୍ବିଚଗିୟରର ନାଁ ଲରିଟଜ ନୁଡସେନ ହୋଇଥିଲା।
ପୂର୍ବରୁ ୨୦୨୩ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କତାର ଏୟାରଓ୍ବେସସ ସହ ୭୫ କୋଟି ଟଙ୍କାର ତିନି ବର୍ଷୀୟା ଡିଲ୍ କରିଥିଲା। ସେହିଭଳି ନଭେମ୍ବରରେ ରାଜସ୍ଥାନ ରୟାଲ୍ସ ଏହାର ସ୍ପନସରସିପ ଡିଲକୁ ଲୁମିନସ ପାଓ୍ବାର ଟେକ୍ନୋଲୋଜିସ ସହ ଆଉ ଦୁଇ ବର୍ଷକୁ ବୃଦ୍ଧି କରିଥିଲା।