ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଅନେକ ଦଳ ଦିନିକିଆ ସିରିଜ୍ ଖେଳୁଛନ୍ତି। ନିକଟରେ ପାକିସ୍ତାନରେ ତ୍ରିରାଷ୍ଟ୍ରୀୟ ସିରିଜ୍ ସମାପ୍ତ ହୋଇଛି। ଏଥିରେ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରିଥିଲେ। ଅନ୍ୟପଟେ ଭାରତ-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ସଂପନ୍ନ ହୋଇଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତା ଜାରି କରିଛି। ଏଥିରେ ପାକିସ୍ତାନକୁ ବଡ଼ ଝଟକା ଲାଗିଥିବା ବେଳେ ଭାରତର ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରହିଛି।
ଆଇସିସି ପକ୍ଷରୁ ଜାରି ସଦ୍ୟତମ ଦିନିକିଆ ମାନ୍ୟତାରେ ପାକିସ୍ତାନ ଗୋଟିଏ ସ୍ଥାନ ତଳକୁ ଖସିଛି। ଫେବୃଆରୀ ୧୩ ତାରିଖ ସୁଦ୍ଧା ପାକିସ୍ତାନ ଦ୍ଵିତୀୟ ସ୍ଥାନରେ ରହିଥିଲା, ମାତ୍ର ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲ୍ ମୁକାବିଲା ହାରିବା ପରେ ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି। ପାକିସ୍ତାନ ୧୦୭ ରେଟିଂ ସହ ତୃତୀୟ ସ୍ଥାନକୁ ଖସି ଆସିଛି।
Also read: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର: ୯ଟି ଭାଷାରେ ହେବ ଚାମ୍ପିଅନ୍ସ ଟ୍ରଫିର ସିଧାପ୍ରସାରଣ
ନ୍ୟୁଜିଲାଣ୍ଡ ପାକିସ୍ତାନକୁ ହରାଇ ନିଜର ସ୍ଥିତି ମଜବୁତ କରିଥିବା ବେଳେ ଦଳର ରେଟିଂ ପଏଣ୍ଟ ୧୦୦ରୁ ୧୦୫କୁ ବୃଦ୍ଧି ଘଟିଛି। ଦଳ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଅନ୍ୟପଟେ ଶ୍ରୀଲଙ୍କାଠୁ ଦିନିକିଆ ସିରିଜ୍ ୨-୦ରେ ହାରିବା ପରେ ବି ଅଷ୍ଟ୍ରେଲିଆ ୧୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି।
ଦିନିକିଆ କ୍ରିକେଟ୍ରେ ଭାରତୀୟ ଦଳର ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରହିଛି। ଆଇସିସିର ସଦ୍ୟତମ ଦିନିକିଆ ମାନ୍ୟତା ଅନୁସାରେ ଭାରତ ୧୧୯ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଛି। ନିକଟରେ ଭାରତ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୩-୦ରେ ଜିତିଥିଲା।