ନୂଆଦିଲ୍ଲୀ ୨।୧୧: ସାଧାରଣତଃ ଦୀପାବଳି ଆଖପାଖରେ ଥଣ୍ଡା ଅନୁଭୂତ ହୁଏ। ହେଲେ ଏ ବର୍ଷ ଦୀପାବଳି ପର୍ବ ଶେଷ ହେବା ପରେ ବି ଲୋକେ ଶୀତର ପହିଲି ପରଶ ଏଯାଏଁ ପାଇ ନାହାନ୍ତି। ଏଥିରେ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ଶୀତ ଋତୁ ସମ୍ପର୍କରେ କୌଣସି ସୂଚନା ନ ଦେଇ ନଭେମ୍ବରରେ ବି ପାଗ ଗରମ ରହିବ ବୋଲି ଆଶଙ୍କା କରିଛନ୍ତି। ଭାରତରେ ଗତ ଅକ୍ଟୋବର ମାସ ୧୯୦୧ ମସିହା ପରେ ସବୁଠୁ ଉତପ୍ତ ମାସ ଥିଲା ଓ ହାରାହାରି ତାପମାତ୍ରା ସ୍ୱଭାବିକ ଠାରୁ ୧.୨୩ ଡିଗ୍ରି ଅଧିକ ରେକର୍ଡ କରାଯାଇଛି।
ଏ ନେଇ ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ ଦେଶକୁ ଏପର୍ଯ୍ୟନ୍ତ ଥଣ୍ଡା ନ ଆସିବାର କାରଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ପାଗରେ ଏପରି ପରିବର୍ତ୍ତନ ପାଇଁ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ଅନୁପସ୍ଥିତି ଓ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁ ପୂର୍ବା ପବନ ଦାୟୀ। ଡ. ମହାପାତ୍ର କହିଛନ୍ତି ଯେ ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରା ହ୍ରାସ ଲାଗି ଉତ୍ତର-ପଶ୍ଚିମା ପବନର ଆବଶ୍ୟକତା ରହିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବ ଯୋଗୁ ତାପମାତ୍ରା ହ୍ରାସ ହେବାକୁ ଦେଉ ନାହିଁ।
ଡ. ମହାପାତ୍ର କହିଛନ୍ତି ଯେ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ତାପମାତ୍ରା ସ୍ୱଭାବିକରୁ ୨-୫ ଡିଗ୍ରି ଉପରେ ରହିବ। ଏହା ପରେ ଏଥିରେ ଧିରେ ଧିରେ ହ୍ରାସ ଦେଖାଯିବ। ଡ. ମହାପାତ୍ର କହିଛନ୍ତି ଯେ ପାଣିପାଗ ବିଭାଗ କାର୍ଯ୍ୟାଳୟ ନଭେମ୍ବରକୁ ଶୀତ ଋତୁ ଭାବେ ଆକଳନ କରନ୍ତି ନାହିଁ, ହେଲେ ଡିସେମ୍ବରରୁ ଦେଶରେ ଥଣ୍ଡାର ସଂକେତ ମିଳିବା ଆରମ୍ଭ ହୋଇଥାଏ।
ସାଉଥ ପେନିନସୁଲାରେ ଉତ୍ତର-ପୂର୍ବ ମୌସୁମୀ ଯୋଗୁ ନଭେମ୍ବରରେ ତାମିଲନାଡୁ, ପୁଡୁଚେରୀ, କରାଇକଲ, ଉପକୂଳ ଆନ୍ଧ୍ରପ୍ରଦେଶ, ୟନମ, ରୟଲସୀମା, କେରଳ, ମାହେ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ସ୍ୱଭାବିକରୁ ଅଧିକ ବର୍ଷା ଆଶା କରାଯାଉଛି। ପାଣିପାଗ ବିଭାଗ କାର୍ଯ୍ୟାଳୟ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଭାରତ ଓ ମଧ୍ୟଭାରତର କେତେକ ଅଞ୍ଚଳ ଛାଡି ଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱଭାବିକରୁ ଅଧିକ ବର୍ଷା ହେବାର ଆଶଙ୍କା କରାଯାଉଛି।