ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ଡାକ୍ତରକୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ଡ. ଉତ୍ପଲ ବାଲା(utpal bala) । ସେ ସିଟି ହସ୍ପିଟାଲ ନିକଟରେ କ୍ଲିନିକ୍ କରିଥିଲେ । ଅଭିଯୋଗ ହେବା ପରେ ପୁଲିସ ଉକ୍ତ କ୍ଲିନିକ୍ ରେ ପହଞ୍ଚି ଚଢ଼ାଉ କରି ଉପରୋକ୍ତ ଡାକ୍ତରକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ରମ୍ପା ସାହିରେ ଘର ଭଡାରେ ରହୁଥିବା ବେଳେ ମିତ୍ରା ସାହିରେ କ୍ଲିନିକ ଚଳାଉଥିଲେ ଡ. ଉତ୍ପଲ ବାଲା। ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପଳା ୪ ବର୍ଷ ପୂର୍ବେ ବିଶାଖାପାଟଣାର ଏକ ହୋଟେଲରେ ହୋଟେଲ ବୟ ଏବଂ ଖାଦ୍ୟ ପରଷିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୧୯ ମସିହାରେ ବ୍ରହ୍ମପୁରକୁ ଆସି ରମ୍ପା ସାହିରେ ଘର ଭଡା ନେଇ ରହୁଛନ୍ତି। କ୍ରିଷ୍ଣା ପାଇଲସ କ୍ଲିନିକ, ସେକସୁଆଲ ହେଲଥ କ୍ଲିନିକ, ଗୁପ୍ତ ରୋଗ ଚିକିତ୍ସାଳୟ ବିଭିନ୍ନ ନାମରେ କ୍ଲିନିକ ବୋର୍ଡ ଲଗାଇ ଲୋକଙ୍କୁ ଚିକିତ୍ସା କରି ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଡା. ବି. ଉତ୍ପଳା, ବି. ଏ. ଏମ. ଏସ ଲେଖା ଥିବା ସାଇନିଂ ବୋର୍ଡ ଲଗାଇ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ।
କୌଣସି ମେଡିକାଲ ଚିକିତ୍ସା ଯୋଗ୍ୟତା କି କୌଣସି ମେଡିକାଲ ପଞ୍ଜିକରଣ ନଥାଇ ବିନା ପଞ୍ଜିକରଣରେ ଚିକିତ୍ସା କରୁଥିଲେ। ସହରର ମଧ୍ୟ ଭାଗରେ ଲୋକଙ୍କୁ ଭୂୟାଁ ବୁଲେଇ ଏଭଳି କଳା କାରନାମାର ପସରା ମେଲାଇ ଗତ ୪ବର୍ଷ ହେଲା କାରବାର ଚଳାଇ ଆସୁଥିବା ପୁଲିସ ତଦନ୍ତରୁ ଜଣାପଡିଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି।