ଭୁବନେଶ୍ୱର,୧୫।୨: ଭୁବନେଶ୍ବରକୁ ପୁଣି ଫେରିଛି ହକି ଫିଭର । ଆଜିଠୁ ହକି ଇଣ୍ଡିଆ ପ୍ରୋ-ଲିଗ୍ । ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନରେ ଦୁଲୁକିବ କଳିଙ୍ଗ ଷ୍ଟାଡିୟମ । ପର୍ଯ୍ୟାୟ କ୍ରମେ ପୁରୁଷ ଏବଂ ମହିଳା ଦଳ ଖେଳିବେ ଏଫଆଇଏଚ୍ ପ୍ରୋ-ଲିଗ୍ ୨୦୨୪-୨୫ । ଉଦଘାଟନୀ ଦିନରେ ୩ଟି ମ୍ୟାଚ୍ ଖେଳାଯିବ । ଘରୋଇ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ । ସେହିପରି ଏହି ଦୁଇ ମ୍ୟାଚ୍ ପୂର୍ବରୁ ଜର୍ମାନୀ ଓ ସ୍ପେନ ମହିଳା ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ ।
ଘରୋଇ ଭେନ୍ୟୁରେ ଆଜିଠୁ ଭାରତ ପ୍ରୋ ଲିଗ୍ ସିଜନ ଆରମ୍ଭ ହେଉଛି । ନୂଆ ବର୍ଷରେ ଉଭୟ ଦଳ ନୂଆ ଅଭିଯାନ ଆରମ୍ଭ କରିବେ । ମହିଳା ଦଳ ଅଧିନାୟିକା ସଲିମା ଟେଟେ କହିଛନ୍ତି, ‘ଘରୋଇ ପରିବେଶ ଏବଂ ଘରୋଇ ପ୍ରଶଂସକଙ୍କ ସାମ୍ନାରେ ଆମେ ଶ୍ରେଷ୍ଠ ପ୍ରଦର୍ଶନକୁ ଦେବାକୁ ପ୍ରୟାସ କରିବୁ । ସବୁ ଦଳକୁ ଆମେ ସମାନ ଭାବେ ଦେଖି ଥାଉ ଏବଂ ସେହି ଅନୁସାରେ ପ୍ରସ୍ତୁତ ହେଉ ।’ ଭାରତୀୟ ପୁରୁଷ ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି, ‘କଳିଙ୍ଗ ଷ୍ଟାଡିୟମ ଆମର ଘରୋଇ ଭେନ୍ୟୁ । ସର୍ବଦା ଏଠାରେ ଖେଳିବାକୁ ଭଲ ଲାଗେ । ଏଚ୍ଆଇଏଲ୍ ପରେ ଆମକୁ ଯେତିକି ସମୟ ମିଳିଛି, ସେଥିରେ ଆମେ ପ୍ରସ୍ତୁତ ହୋଇଛୁ । ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସନ୍ତୁଳନ ରହିଛି । ଦଳ ସ୍ପେନ ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ।’
ହକିପ୍ରେମୀ ଉତ୍ସାହିତ, ସନ୍ଧ୍ୟାରେ ନେବେ ଖେଳର ରୋମାଞ୍ଚ । ଏଥର ଦର୍ଶକଙ୍କ ପାଇଁ କୌଣସି ଟିକେଟ୍ ବ୍ୟବସ୍ଥା ନାହିଁ । ୧୬ ହଜାର ଦର୍ଶକ ବସି ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁବିଧା ରହିଛି । ଭାରତୀୟ ପୁରୁଷ ଓ ମହିଳା ଦଳ ଏ ପର୍ଯ୍ୟନ୍ତ ପ୍ରୋ ଲିଗରେ ସିଜନ ଆରମ୍ଭ କରି ନାହାନ୍ତି । ମହିଳା ବର୍ଗରେ ଚୀନ୍ ୮ଟି ମ୍ୟାଚ୍ ଖେଳି ସର୍ବାଧିକ ୧୬ ପଏଣ୍ଟ ସହ ଟେବୁଲରେ ଶୀର୍ଷରେ ରହିଛି । ସେହିପରି ପୁରୁଷ ବର୍ଗରେ ନେଦରଲାଣ୍ଡସ ୮ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ସହ ଟେବୁଲରେ ପ୍ରଥମ ସ୍ଥାନରେ ଅଛି । ପୂର୍ବ ସଂସ୍କରଣରେ ମହିଳା ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୧୬ଟି ମ୍ୟାଚ୍ ଖେଳି ମାତ୍ର ୮ ପଏଣ୍ଟ ସହ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଥିଲା । ସେହିପରି ପୁରୁଷ ଦଳ ୧୬ଟି ମ୍ୟାଚ୍ରୁ ୨୪ ପଏଣ୍ଟ ପାଇ ସପ୍ତମ ସ୍ଥାନ ହାସଲ କରିଥିଲା ।