ମୁମ୍ବାଇ ୦୨।୧୧ : ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍ରେ ଖେଳାଯାଉଥିବା ସିରିଜ୍ ଏହି ଶେଷ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ ୨୬୩ ରନ୍ରେ ଅଲ୍ଆଉଟ୍ ହୋଇଛି । ଯାହାଫଳରେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ଠାରୁ ୨୭ରନ୍ରେ ଆଗୁଆ ରହିଛି ଘରୋଇ ଟିମ୍ ।
ସିରିଜ୍ର ପ୍ରଥମ ୨ଟି ମ୍ୟାଚ୍ ଜିତିସାରିଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ । ତୃତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ । ଦଳ ବଡ଼ ସ୍କୋର କରି ଘରୋଇ ଟିମ୍କୁ ବ୍ୟାକ୍ଫୁଟ୍ରେ ରଖିବାକୁ ଟାର୍ଗେଟ ରଖିଥିଲା । ହେଲେ ଭାରତୀୟ ସ୍ପିନରଙ୍କ ଆଗରେ ମାତ୍ର ୨୩୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତୀୟ ବୋଲରଙ୍କ ପକ୍ଷରୁ ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାସିଂଟନ୍ ସୁନ୍ଦର ୪ଟି ଓ୍ୱିକେଟ୍ ନେଇଛନ୍ତି । ବାକି ଗୋଟିଏ ଓ୍ୱିକେଟ୍କୁ ଶୀକାର କରିଥିଲେ ଆକାଶ ଦୀପ୍ ।
ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳ ପୂର୍ବ ମ୍ୟାଚ୍ ପରି ଶୀଘ୍ର ଓ୍ୱିକେଟ୍ ହରାଇଥିଲା । ପ୍ରଥମ ଦିନରେ ଦଳ ୮୪ ରନ୍ କରି ୪ଟି ଓ୍ୱିକେଟ୍ ହରାଇଥିଲା । ଏହାପରେ ୨ୟ ଦିନରୁ ଆରମ୍ଭ କରିଥିଲା ବ୍ୟାଟିଂ । ପ୍ରଥମରୁ ଗିଲ୍ ଏବଂ ପନ୍ତ ସମ୍ଭାଳି ବ୍ୟାଟିଂ କରିଥିଲେ । ଧୀରେ ଧୀରେ ପାରିକୁ ଆଗକୁ ବଢାଇଥିଲେ । ଶେଷରେ ଦଳ ୨୬୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ଇସ୍ ସୋଡି, ଗ୍ଲେନ୍ ଫିଲିପ୍ସ, ମ୍ୟାଟ୍ ହେନେରୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଦଳ ୯ ଓଭର ୩ଟି ବଲ୍ ଖେଳି ୨୭ ରନ୍ ସଂଗ୍ରହ କରିଛନ୍ତି । କିଓ୍ୱି ଓପନର ଟମ୍ ଲାଥମ୍ଙ୍କୁ ଶୀକାର କରିଛନ୍ତି ଆକାଶ ଦୀପ । ବର୍ତ୍ତମାନ ଡେଭେନ୍ କନଓ୍ୱେ୍ ୧୬ ରନ୍ ଏବଂ ଓ୍ୱିଲ୍ ୟଙ୍ଗ ୯ ରନ୍ କରି କ୍ରିଜ୍ରେ ଅଛନ୍ତି ।