ଭାରତରେ କାମ କଲାନି ‘ବାଜ୍‌ବଲ୍‌’, ଅଟକିଲା ଇଂଲିଶ୍ ଟିମ୍‌ର ମାଷ୍ଟରପ୍ଲାନ୍

Published By : Prameya-News7 Bureau | March 08, 2024 IST

ନୂଆଦିଲ୍ଲୀ ୦୮।୦୩: ଟିମ୍‌ ଇଣ୍ଡିଆ ଆଗରେ ତିଷ୍ଟିଲାନି ଇଂଲଣ୍ଡର ‘ବାଜ୍‌ବଲ୍‌’ । ଫେଲ୍‌ ମାରିଲା ଇଂଲିଶ୍‌ ଟିମ୍‌ । ମ୍ୟାଚ୍‌ ଜିତି ବାଜି ମାରିଲେ ଟିମ୍‌ ଇଣ୍ଡିଆ ପ୍ଲେୟର । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୫ ଜାନୁଆରୀରୁ ଆରମ୍ଭ ହୋଇଥିଲା । ହାଇଦ୍ରାବାଦରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ୍ । ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୮ ରନରେ ପରାସ୍ତ କରିଥିଲା । ଆଉ ସେତେବେଳେ କ୍ରିକେଟ୍ ଜଗତରେ ‘ବାଜ୍‌ବଲ୍‌’କୁ ନେଇ ହୋଇଥିଲା ଖୁବ୍‌ ଚର୍ଚ୍ଚା ।

ଏହାପରେ ଭ୍ରମଣକାରୀ ଟିମ୍ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ହାରିଛନ୍ତି । ଆଉ ଖବରଲେଖା ହେବା ଯାଏଁ ଧର୍ମଶାଳାରେ ଖେଳାଯାଉଥିବା ସିରିଜର ଶେଷ ଟେଷ୍ଟରେ ମଧ୍ୟ ଇଂଲଣ୍ଡର ଅବସ୍ଥା ଭଲ ନଥିଲା । ବ୍ରାଣ୍ଡନ୍ ମ୍ୟାକକୁଲମଙ୍କ କୋଚିଙ୍ଗ୍‌ରେ ଆକ୍ରମଣାତ୍ମକ ଟେଷ୍ଟ କ୍ରିକେଟ୍ ଖେଳିବାର ଇଂଲଣ୍ଡର ମାଷ୍ଟରପ୍ଲାନ୍ ପୁରା ଫେଲ୍‌ ମାରିଛି । 

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୨୮ ରନରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୧୦୬ ରନରେ ଜିତିଥିଲା । ଯେଉଁଥିରେ ବୁମ୍ରା ଏବଂ ସ୍ପିନ୍ ବୋଲରମାନେ ଏକାଠି ହୋଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାକଫୁଟ୍‌କୁ ପଠାଇଥିଲେ । ତେବେ ତୃତୀୟ ମ୍ୟାଚ୍‌ର ଚତୁର୍ଥ ଇନିଂସରେ ଇଂଲଣ୍ଡକୁ ୫୫୭ ରନ୍‌ର ପିଛା କରିବାକୁ ଥିଲା । 

କିନ୍ତୁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଚକ୍କରରେ ଇଂଲିଶ୍‌ ଟିମ୍‌ ୧୨୨ ରନ୍‌ରେ ଅଟକି ଯାଇଥିଲା । ଅନ୍ୟପଟେ ଚତୁର୍ଥ ମ୍ୟାଚ୍ ମଧ୍ୟ ଇଂଲଣ୍ଡର ଭାଗ୍ୟ ବଦଳାଇ ପାରି ନଥିଲା । କାରଣ ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ୫ ଓ୍ବିକେଟରେ ମ୍ୟାଚ୍‌ ହାରିବା ସହିତ ସିରିଜ୍ ବି ହାରିଛି ଇଂଲଣ୍ଡ ଟିମ୍‌ । ତେବେ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୨୧୮ ରନ୍‌ରେ ଅଲ୍‌ ଆଉଟ୍‌ ହେବା ପରେ ଘରୋଇ ଦଳ ବ୍ୟାଟିଂ ଜାରି ରଖିଛି ।

ତେବେ ପୁରା ସିରିଜ୍‌ରେ ‘ବାଜ୍‌ବଲ୍‌’ ଟିମ୍‌ କ୍ୟାପଟେନ୍‌ ବେନ୍ ଷ୍ଟୋକ୍ସଙ୍କ ପ୍ରଦର୍ଶନ ମଧ୍ୟ ଖରାପ ରହିଛି । ଷ୍ଟୋକ୍ସ କେବଳ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଏବଂ ହାରାହାରି ୨୨ରୁ କମ୍ ସ୍କୋର କରିଛନ୍ତି । ଅନ୍ୟପଟେ ଫାବ୍-4ରେ ଗଣାଯାଉଥିବା ଜୋ ରୁଟ୍ ମଧ୍ୟ ଚତୁର୍ଥ ଟେଷ୍ଟ ଇନିଂସରେ ଗୋଟିଏ ଶତକ ଲଗାଇବା ବ୍ୟତୀତ ସେ ପୁରା ସିରିଜରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନାହାଁନ୍ତି ।

 ଚଳିତ ସିରିଜରେ ନିଜର ୧୦୦ତମ ମ୍ୟାଚ୍ ଖେଳିଥିବା ଜନି ବେୟାରଷ୍ଟୋଙ୍କର ସଂଖ୍ୟା ସବୁଠାରୁ ଖରାପ ରହିଛି । ସିରିଜରେ ସେ ହାରାହାରି ୨୨ ରନ୍ ସଂଗ୍ରହ କରିଛନ୍ତି । ତେବେ ଟିମ୍‌ ଇଣ୍ଡିଆ ପ୍ରମାଣ କରିଛି କି ଭାରତରେ କାମ କରିବନି ଇଲିଶ୍‌ ଟିମ୍‌ର ‘ବାଜ୍‌ବଲ୍‌’  ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.