ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପୂରା ଦେଶ ସ୍ତବ୍ଧ। ଏହି କାପୁରୁଷପଣ ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଲସ୍କର ଏ ତୋଇବାର ଆତଙ୍କୀ ଗୋଷ୍ଠୀ ‘ଦ ରେଜିଷ୍ଟାନ୍ସ ଫୋର୍ସ’(ଟିଆରଏଫ) ନିଜକୁ ଦାୟୀ କରିଛି। କ୍ରିକେଟ୍ ଜଗତ ମଧ୍ୟ ଏହି ଘଟଣାକୁ ନେଇ କ୍ଷୁବ୍ଧ। ସବୁ ମହଲରେ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ପାକିସ୍ତାନକୁ ନେଇ ନିଜର କଡ଼ା ଆଭିମୁଖ୍ୟ ଦେଖାଇଛି।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ଆତଙ୍କବାଦୀ ଘଟଣା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ପୀଡ଼ିତାଙ୍କ ସହ ଅଛୁ ଏବଂ ଏହି ଘଟଣାର ତୀବ୍ର ନିନ୍ଦା କରୁଛୁ। କଣ ପାକିସ୍ତାନ ସହ କ୍ରିକେଟ୍ ଖେଳିବା ବନ୍ଦ କରି ଦେବା ଉଚିତ୍ ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମ ସରକାର ଯାହା କହିବେ, ତାହା ଆମେ ପାଳନ କରିବୁ। ପାକିସ୍ତାନ ସହ ଦ୍ଵିପାକ୍ଷିକ ସିରିଜ୍ ଖେଳୁନାହୁଁ। ଆମେ ଆଗକୁ ମଧ୍ୟ ପାକିସ୍ତାନ ସହ ଦ୍ଵିପାକ୍ଷିକ ସିରିଜ୍ ଖେଳିବୁ ନାହିଁ। ଆଇସିସି ଭାଗିଦାରୀ କାରଣରୁ ଆମେ ଆଇସିସି ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛୁ।
Also read: ସାଉଦୀରୁ ଫେରିବା ରାସ୍ତାରେ ପାକିସ୍ତାନ ଏରୋସ୍ପେସକୁ ଗଲାନି ପ୍ରଧାନମନ୍ତ୍ରୀଙ୍କ ବିମାନ, ଆସିଲା ଏହି ରୁଟରେ
ଭାରତ ଓ ପାକିସ୍ତାନ ଶେଷ ଥର ଦ୍ଵିପାକ୍ଷିକ ସିରିଜ୍ ୨୦୧୨-୧୩ରେ ଖେଳିଥିଲେ। ସେହି ସମୟରେ ପାକିସ୍ତାନ ଭାରତ ଗସ୍ତରେ ଆସିଥିଲା। ସେହି ସମୟରେ ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳା ଯାଇଥିଲା। ଅନ୍ୟପଟେ ଭାରତ ପାକିସ୍ତାନ ମାଟିରେ ଶେଷ ଥର ୨୦୦୭ରେ ଟେଷ୍ଟ ସିରିଜ୍ ଖେଳିଥିଲା। ଅନ୍ୟପଟେ ପାକିସ୍ତାନ ୨୦୨୩ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଆସିଥିଲା। ଭାରତୀୟ ଦଳ ନିକଟରେ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଥିଲା। ଏହି କାରଣରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିଥିଲା। ଦୁବାଇକୁ ନିରପେକ୍ଷ ସ୍ଥାନ ଭାବେ ଚୟନ କରାଯାଇଥିଲା।
ସୂଚନାଯୋଗ୍ୟ, ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ଘଟିଛି। ଏହି ସମୟରେ ଆତଙ୍କବାଦୀ ଲୋକଙ୍କ ଧର୍ମ ପଚାରି ସେମାନଙ୍କ ଉପରେ ଉପରେ ଆକ୍ରମଣ କରିଛନ୍ତି।