ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁଝଟକା। ଅଧିନାୟକ ସଞ୍ଜୁ ସାମସନ ଆହତ ହୋଇଛନ୍ତି। ଏହି କାରଣରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ଖେଳି ପାରିବେ ନାହିଁ। ସୋମବାର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ସମୟରେ ସଞ୍ଜୁଙ୍କୁ ମାଂସପେଶୀ ଟାଣି ଧରିଥିଲା। ଫଳରେ ସେ ଘରୋଇ ମାଟିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାଚ୍ ବି ଖେଳି ପାରି ନ ଥିଲେ। ଗୁରୁବାର ରାଜସ୍ଥାନ ଆରସିବି ବିପକ୍ଷରେ ମ୍ୟାଚ୍ ଖେଳିବ। ତେବେ ସଞ୍ଜୁ ସାମସନ କେଉଁ ମ୍ୟାଚ୍ରେ ଦଳକୁ ଫେରିବେ ତାହା ସ୍ପଷ୍ଟ ହୋଇ ନାହିଁ।
Also read: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଋଷଭ ପନ୍ତଙ୍କୁ ପ୍ରମୋଶନ, ଜାଣନ୍ତୁ କିଏ ବାଦ୍ ପଡ଼ିଲେ ଓ କେଉଁ ଖେଳାଳି ସାମିଲ୍ ହେଲେ
ରାଜସ୍ଥାନ ରୟାଲ୍ସ ପ୍ରେସ ବିବୃତି ଜାରି କରିଛି ଯେ, ଅଧିନାୟକ ସଞ୍ଜୁ ସାମସନ ବର୍ତ୍ତମାନ ସୁସ୍ଥ ହେବ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ସେ ରାଜସ୍ଥାନ ରୟାଲ୍ସର ମେଡିକାଲ ସଦସ୍ୟଙ୍କ ସହ ହୋମ ବେସରେ ରହିବେ। ସେ ଆଗାମୀ ମ୍ୟାଚ୍ ପାଇଁ ବେଙ୍ଗାଲୁରୁ ଯିବେ ନାହିଁ। ଦଳ ପ୍ରବନ୍ଧକ ତାଙ୍କ ସ୍ଵାସ୍ଥ୍ୟବସ୍ଥାର ପ୍ରଗତି ଉପରେ ନଜର ରଖିଛନ୍ତି।
ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଦଳ ନେତୃତ୍ଵ ନେବା ଜାରି ରଖିବେ। ରିୟାନ ସିଜିନର ପ୍ରଥମ ତିନୋଟି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସର ନେତୃତ୍ଵ ନେଇଥିଲେ। କାରଣ ସାମସନଙ୍କୁ କେବଳ ବ୍ୟାଟିଂ ପାଇଁ ଅନୁମତି ମିଳିଥିଲା ଏବଂ ଓ୍ଵିକେଟ୍ କିପିଂ ପାଇଁ ଅନୁମତି ଦିଆଯାଇ ନ ଥିଲା। ସାମସନ ଚତୁର୍ଥ ମ୍ୟାଚ୍ରେ ଦଳର ନେତୃତ୍ଵ ନେବା ପୂର୍ବରୁ ପ୍ରଥମ ତିନି ମ୍ୟାଚ୍ରେ ଇମ୍ପାକ୍ଟ ଖେଳାଳି ଭାବେ ଖେଳିଥିଲେ। ତାଙ୍କ ଅନୁପସ୍ଥିତିରେ ଧ୍ରୁବ ଜୁରେଲ ଦଳର ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବେ।