ଆଇପିଏଲରେ ମ୍ୟାଚ୍ ଫିକ୍ସିଂ ! ଲକ୍ଷ୍ନୌଠାରୁ ହାରିବା ପରେ ରାଜସ୍ଥାନ ବିରୋଧରେ ଅଭିଯୋଗ

Published By : Prameya-News7 Bureau | April 22, 2025 IST

ମୁମ୍ୱାଇ ୨୨/୦୪: ଫଟାଫଟ୍ କ୍ରିକେଟର ମହାକୁମ୍ଭ । ଫେଲ୍ ମାରୁଛନ୍ତି ଗୋଟିଏ ପରେ ଗୋଟିଏ ବଡ ଟିମ୍ । ୫ଥର ଟାଇଟଲ ହାତେଇଥିବା ଦଳ ଏବେ ମାଟି କାମୁଡୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଫିକ୍ସିଂ ଭୟ । ଗୋଟିଏ ଟିମ୍ ଉପରେ ଲାଗିଛି ସଂଗୀନ ଅଭିଯୋଗ । ଆଇପିଏଲର ଗୋଟିଏ ଟିମ୍ ଉପରେ ମ୍ୟାଚଫିକ୍ସିଂ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ଏବେ ଆଇପିଏଲକୁ ନେଇ ଚର୍ଚ୍ଚା ଜୋର । 

କହିବାକୁ ଗଲେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଉପରେ ଆସିଛି ଏହି ଅଭିଯୋଗ । ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା । ହେଲେ ବୋଲର ଆବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ ଏଲଏସ୍ ୨ ରନରେ ମ୍ୟାଚ ଜିତି ନେଇଥିଲା । ଏହା ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ମ୍ୟାଚରେ ମଧ୍ୟ ରାଜସ୍ଥାନ ଜିତିବା ମ୍ୟାଚ ହାରି ଯାଇଥିଲା । 


ଯାହାକୁ ନେଇ  ରାଜସ୍ଥାନ କ୍ରିକେଟ ଆସୋସିଏସନର ଏଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ ଆଇପିଏଲରେ ମ୍ୟାଚଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଫ୍ରାଞ୍ଚାଇଜ୍ ମାଲିକ ରାଜ କୁନ୍ଦ୍ରା ମଧ୍ୟ ପୂର୍ବରୁ ଏକ ବେଟିଂ ମାମଲାରେ ଧରାପଡ଼ିଥିଲେ । ଏହି କାରଣରୁ ଦଳକୁ ଦୁଇ ବର୍ଷ ପାଇଁ ବାସନ୍ଦ ହେବାକୁ ପଡିଥିଲା । ଏଥର ମଧ୍ୟ ସେ ବିସିସିଆଇକୁ ଦାବି କରିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବା ଉଚିତ। ଫ୍ରାଞ୍ଚାଇଜ୍ ମାଲିକ ରାଜ କୁନ୍ଦ୍ରା ବେଟିଂ କରୁଥିବା ଧରାପଡ଼ିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରାଜସ୍ଥାନକୁ ୨୦୧୬ ଏବଂ ୨୦୧୭ରେ ଦୁଇଟି ସେସନ୍ ପାଇଁ ନିଷେଧ କରାଯାଇଥିଲା।

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.