ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଇଣ୍ଡିଆ, ବାଂଲାଦେଶକୁ ୨୯୮ ଟାର୍ଗେଟ୍

Published By : Prameya-News7 Bureau | October 12, 2024 IST

BCCI X

ହାଇଦ୍ରାବାଦ: ହାଇଦ୍ରାବାଦରେ ହାଇ ରେକର୍ଡ। ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରି ରେକର୍ଡ କଲା ଟିମ୍ ଇଣ୍ଡିଆ। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୯୭ ରନ୍ କରିଛି। ଯାହା ଟି-୨୦ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌। ଏହା ପୂର୍ବରୁ ୨୦୨୩ ସେପ୍ଟେମ୍ବର ୨୭ ତାରିଖରେ ନେପାଳ ମଙ୍ଗୋଲିଆ ବିରୋଧରେ ଟି-୨୦ ଇତିହାସରେ ସର୍ବାଧିକ ୩୧୪ ରନ୍‌ କରି ଟପ୍‌ରେ ରହିଛି।

ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ ଦ୍ୱିତୀୟ ଭାରତୀୟ ଖେଳାଳିଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ରୁତ ଶତକ ହାସଲ କରିଛନ୍ତି। ସେ ମାତ୍ର ୪୦ ବଲ୍‌ରେ ୧୧୧ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ୭୫ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୭ ଓ ରିଆନ ପରାଗ ୩୪ ରନ୍ କରିଥିଲେ। ତେବେ ଏଥର ବି ଫେଲ୍ ମାରିଥିଲେ ଅଭିଷେକ ଶର୍ମା। ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ରିଙ୍କୁ ସିଂହ ଶେଷ ବେଳକୁ ଆସି ୮ ରନ୍ କରି ନଟ୍ ଆଉଟ ରହିଥିଲେ। 

ସେହିପରି ବାଂଲାଦେଶ ପକ୍ଷରୁ ଆଜି କୌଣସି ବୋଲରଙ୍କ ବୋଲିଂ କାମ ଦେଇ ନଥିଲେ। ଭାରତୀୟ ବ୍ୟାଟରମାନେ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ତଞ୍ଜିମ ହସନ ଶକିବ ୪ ଓଭର କରି ସର୍ବାଧିକ ୬୬ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ହେଲେ ଶେଷ ଓଭର ବୋଲିଂ କରିବାକୁ ଆସି ତଞ୍ଜିମ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ। ସେହିପରି ତସ୍କିନ ଅହମଦ, ମୁସ୍ତାଫିଜୁର ଓ ମହମଦୁଲ୍ଲା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ ବ୍ୟାଟି କରିବାକୁ ଆସିଥିଲେ। ୨.୩ ଓଭରରେ ଅଭିଷେକ ଶର୍ମାଙ୍କ ୱିକେଟ୍ ଯାଇଥିଲା। ସେ ୪ ବଲ୍‌ରେ ୪ ରନ୍ କରିଥିଲେ। ଏହାପରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବ ଦୁହେଁ ମିଶି ଦଳୀୟ ସ୍କୋରକୁ ୧୯୬ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ହାଇଦ୍ରାବାଦରେ ସଞ୍ଜୁ ସାମସନଙ୍କର ଆଜି ସୁପର ଶୋ ଦେଖିବାକୁ ମିଳିଥିଲା। ସେ ମାତ୍ର ୪୦ ଓଭରରେ ୧୧୧ ରନ୍ କରି ରେକର୍ଡ କରିଥିଲେ। ଟି-୨୦ ଅନ୍ତର୍ଜାତୀୟରେ ଦ୍ୱିତୀୟ ଭାରତୀୟ ଭାବେ ସେ ଦ୍ରୁତ ଶତକ ହାସଲ କରିଛନ୍ତି। ସେହିପରି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆକାଶ ଛୁଆଁ ଶଟ ଖେଳି ଦଳର ସ୍କୋର ବଢାଇଥିଲେ।  

ଏହାପରେ ୧୩.୪ ଓଭରରେ ସାମସନ ଆଉଟ ହେବା ପରେ   ପରବର୍ତ୍ତି ଓଭର ୧୪.୩ ବଲ୍‌ରେ ସୂର୍ଯ୍ୟକୁମାର ଆଉଟ୍ ହୋଇଥିଲେ। ଏହାପରେ ହାର୍ଦ୍ଦିକ ଓ ରିଆନ ପରାଗ ପାଳି ସମ୍ବାଳିଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂ କରି ସ୍କୋର୍‌କୁ ଦ୍ରୁତ ଗତିରେ ବଢାଇଥିଲେ। ପରାଗ ୧୩ ବଲ୍‌ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ୧୮ ବଲ୍‌ରେ ୪୭ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ଓଭର ବ୍ୟାଟିଂ କରିବାକୁ ଆସିଥିବା ନୀତୀଶ ରେଡ୍ଡି ପ୍ରଥମ ବଲ୍‌ରେ ବଡ଼ ଶଟ୍ ମାରି କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ରିଙ୍କୁ ସିଂହ ଶେଷ ବଲ୍‌ରେ ଛକ୍କା ମାରି ଦଳୀୟ ସ୍କୋରକୁ ୨୯୭ ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଯାହା ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.