ଯଦି ପାକିସ୍ତାନ ଆତଙ୍କବାଦ ମୁକାବିଲାରେ ଅସମର୍ଥ ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ: ରାଜନାଥ ସିଂହ

Published By : Prameya-News7 Bureau | April 11, 2024 IST

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣିଥରେ ଟାର୍ଗେଟ୍ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ପଡ଼ୋଶୀ ପାକିସ୍ତାନ ଆତଙ୍କବାଦକୁ ରୋକିବାରେ ଅସମର୍ଥ, ତେବେ ଭାରତ ସହଯୋଗ କରିବାକୁ ରାଜି ଅଛି ବୋଲି ରାଜନାଥ ସିଂହ କହିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ରାଜନାଥ। ଆତଙ୍କବାଦର ବ୍ୟବହାର କରି ଯଦି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିବ ତେବେ ତାକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ରାଜନାଥ ସିଂହ କହିଛନ୍ତି।


ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧୀ ଏକଛତ୍ରବାଦ କହିବା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜନାଥ। ଏହି ପ୍ରସଙ୍ଗରେ ଉତ୍ତର ଦେଇ ରାଜନାଥ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଘୋଷଣା ହୋଇଥିବା ଏମାର୍ଜେନ୍ସି କଥା ଉଲ୍ଲେଖ କରିଛନ୍ତି। ଏମାର୍ଜେନ୍ସି ସମୟରେ ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଜେଲ୍‌ରୁ ମୁକୁଳିବାକୁ ପାରୋଲ ଦିଆଗଲା ନାହିଁ ବୋଲି ରାଜନାଥ କହିଛନ୍ତି।  

ରାଜନାଥ କହିଛନ୍ତି “ଏମାର୍ଜେନ୍ସି ସମୟରେ ମୋ ମାଆଙ୍କର ଅନ୍ତିମ ସଂସ୍କାରରେ ମୋତେ ସାମିଲ୍ ହେବାକୁ ପାରୋଲ ଦିଆଗଲା ନାହିଁ। ବର୍ତ୍ତମାନେ ସେମାନେ ଆମକୁ ଏକଛତ୍ରବାଦୀ କହୁଛନ୍ତି ?”

ପଢ଼ନ୍ତୁ-‘ଯଦି ଭବିଷ୍ୟତ ଦେଖିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ’: ଆମେରିକୀୟ ରାଷ୍ଟ୍ରଦୂତ

ନିକଟରେ ବ୍ରିଟେନ୍ ଗଣମାଧ୍ୟମ ‘ଦ ଗାର୍ଡିଆନ’ ଏକ ରିପୋର୍ଟ ପ୍ରକାଶ କରି ଦାବି କରିଥିଲା ଯେ ଭାରତ ୨୦୨୦ ଠାରୁ ପାକିସ୍ତାନରେ ପଶି ଶତ୍ରୁଙ୍କୁ ଗୁଳି କରି ହତ୍ୟା କରୁଛି। ଏହାକୁ ନେଇ ଏକ ଟିଭି ଚ୍ୟାନେଲ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଶ୍ନ କରିଥିଲା। ଯେଉଁଥିରେ ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରି କହିଥିଲେ ଯେ ଯଦି ଆତଙ୍କବାଦୀ ଭାରତରେ ଅଶାନ୍ତି ସୃଷ୍ଟି କରି ପାକିସ୍ତାନରେ ଲୁଚିବ ତେବେ ଆମେ ସୀମା ଡେଇଁ ଘରେ ପଶି ତାକୁ ଗୁଳି  କରିବୁ। ତେବେ ଏହାକୁ ବାଲାନ୍ସ କରିବାକ ପାଇଁ ଭାରତ କୌଣସି ଦେଶ ଉପରେ ଆଗୁଆ ଆକ୍ରମଣ କରେ ନାହିଁ ବୋଲି ରାଜନାଥ କହିଥିଲେ।  

ହେଲେ ଏହାକୁ ନେଇ ପାକିସ୍ତାନ ପ୍ରତିକ୍ରିୟ ଦେଇଥିଲା। ଭାରତ ଏଭଳି ବୟାନ ଦେଇ ସମ୍ପର୍କ ଖରାପ କରିବାକୁ ଚେଷ୍ଟା କରୁଛି। ଶାନ୍ତି ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେବ ପାକିସ୍ତାନ ଯେଉଁ ପ୍ରୟାଶ କରି ଆସୁଛି ରାଜନାଙ୍କର ଏପରି ବାୟନ୍‌ରେ ସେହି ପ୍ରୟାସରେ ବାଧା ସୃଷ୍ଟି ହେବ। ତା ଛଡ଼ା ପାକିସ୍ତାନ ନିଜ ସୁରକ୍ଷା କରିବା ସହ ଜବାବ ଦେବାକୁ ମଧ୍ୟ ସକ୍ଷମ ବୋଲି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା। 

 


 

  • india-pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.