ପିଏମ୍ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ବୈଠକରେ ଫୋକସରେ ରହିବ ଚୀନର ଗତିବିଧି, ଆମେରିକୀୟ NSA ଦେଲେ ସୂଚନା

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ଅବସରରେ ଦୁହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବେ । ଅନ୍ୟପଟେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିବନ କହିଛନ୍ତି ଯେ ପିଏମ୍ ମୋଦୀଙ୍କ ୟୁକ୍ରେନ ଯାତ୍ରା, କ୍ୱାଡ ଶିଖର ସମ୍ମିଳନୀ ବାହାରେ ଆମେରିକା ରାଷ୍ଟ୍ରପତିଙ୍କ ୱିଲମିଙ୍ଗଟନ ନିବାସରେ ହେବାକୁ ଥିବା ବୈଠକରେ ଅନେକ ବଡ଼ ପ୍ରସଙ୍ଗ ରହିପାରେ ।

ଆମେରିକୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିବନ ଏକ ପ୍ରଶ୍ନର ଜବାବରେ କହିଛନ୍ତି, 'ମୁଁ ସେହି ସବୁ ପ୍ରସଙ୍ଗରେ ଅଧିକ କିଛି କହିବି ନାହିଁ, ଯାହା ସ୍ପଷ୍ଟ ରୂପେ ସମ୍ୱେଦନଶୀଳ ଅଟେ ।' ସୁଲିବନ କହିଛନ୍ତି, 'ଆମେରିକାର ଏହା ସ୍ପଷ୍ଟ ଦୃଷ୍ଟିକୋଣ ଯେ ୟୁକ୍ରେନ ଉପରେ ରୁଷର କ୍ରୁର ଆକ୍ରାମକ ଯୁଦ୍ଧ ଅନ୍ତରାଷ୍ଟ୍ରୀୟ ଆଇନର ସବୁ ମାନଦଣ୍ଡ ଏବଂ ସିଦ୍ଧାନ୍ତର ଉଲ୍ଲଂଘନ କରୁଛି । ଭାରତ ପରି ଦେଶ ଆଗକୁ ଆସି ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ନୀତିକୁ ସମର୍ଥନ କରିବା ଦରକାର ।'

ଜାକ୍ ସୁଲିବନ ଏହା ମଧ୍ୟ କହିଛନ୍ତି ଯେ ସବୁ ଦେଶ ରୁଷର ଯୁଦ୍ଧ ମେସିନକୁ ଇନପୁଟ୍ ଦେବାଠାରୁ ଦୂରେଇ ରହିବା ଦରକାର । ସେ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୟୁକ୍ରେନ ଯାତ୍ରା ଉପରେ ମଧ୍ୟ କଥାବାର୍ତ୍ତା କରିବେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବରେ ଏକ ଐତିହାସିକ ଯାତ୍ରା ଥିଲା । ଦୁଇ ନେତା ଭବିଷ୍ୟତର ମାର୍ଗ ପାଆଇଁ ନିଜ ନିଜର ମତ ରଖିବେ ।

ସେହିପରି ଚୀନକୁ ନେଇ ସୁଲିବନ କହିଛନ୍ତି ଯେ ଦୁଇ ନେତା ଚୀନର ଗତିବିଧି କେଉଁ ପ୍ରକାର ରହିଛି, ଚୀନ କେଉଁ ଦିଗରେ ଆଗକୁ ବଢୁଛି ତାହା ଉପରେ ଆଲୋଚନା କରିବେ । ସେ କହିଛନ୍ତି ଯେ ଏହା କେବଳ ସୁରକ୍ଷା କ୍ଷେତ୍ରରେ ନୁହେଁ ବରଂ ଆର୍ଥିକ ଗତିବିଧି ଏବଂ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ । ସୁଲିବନ କହିଛନ୍ତି ଯେ ବାଇଡେନ ଏବଂ ପିଏମ୍ ମୋଦୀ ଦୁଇ ଦେଶ ପାଇଁ ଉପଯୁକ୍ତ ସୀମା ଧାର୍ଯ୍ୟ ଉପରେ ଦୃଷ୍ଟିକୋଣରେ ସମନ୍ୱୟ ସ୍ଥାପନ କରିବା ଉପରେ କାମ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.