ନୂଆଦିଲ୍ଲୀ: ବିଶ୍ୱ ଶ୍ରମ ବଳରେ ଭାରତ ଆଗକୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି। ୨୦୨୩ରୁ ୨୦୫୦ ମଧ୍ୟରେ ବିଶ୍ୱ ଶ୍ରମ ବଳରେ ଭାରତର ଯୋଗଦାନ ୨୦ ପ୍ରତିଶତ ହେବ। ଅର୍ଥାତ ସାରା ବିଶ୍ୱର ମୋଟ ଯେତିକି କର୍ମଜୀବୀ ଥିବେ ସେଥିରେ ୨୦ ପ୍ରତିଶତ କେବଳ ଭାରତର। ଆଞ୍ଜେଲ ୱାନ ୱେଲ୍ଥ ନାମକ ଏକ ସଂସ୍ଥା ଗବେଷଣା କରି ଏକ ରିପୋର୍ଟ ପ୍ରକାଶ କରିଛି। ଅନ୍ୟପଟେ ଚୀନରେ କିନ୍ତୁ ସ୍ଥିତି ଭଲ ହେବ ନାହିଁ। ବିଶ୍ୱ ଶ୍ରମ ବଳରେ ଚୀନର ଯୋଗଦାନ କମିବ ବୋଲି ସଂସ୍ଥା କହିଛି।
ତେବେ ସବୁଠାରୁ ଖୁସୀର କଥା ହେଲା ଭାରତର ଆୟରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ୨୦୩୦ ସୁଦ୍ଧା ଦେଶରେ ଉଚ୍ଚ ଆୟ କରୁଥିବା ପରିବାର ସଂଖ୍ୟା ତିନିଗୁଣା ବୃଦ୍ଧି ପାଇବ ବୋଲି ଆଞ୍ଜେଲ ୱାନ ୱେଲ୍ଥ କହିଛି। ଏଥିରେ କୁହାଯାଇଛି “୨୦୩୦ ସୁଦ୍ଧା ଉଚ୍ଚ ଆୟକାରୀ ପରିବାର ସଂଖ୍ୟା ତିନିଗୁଣ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସେହିପରି ମଧ୍ୟମ ଆୟକାରୀ ପରିବାର ସଂଖ୍ୟା ପାଖାପାଖି ଦୁଇଗୁଣିତ ହେବ। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଏହା ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ପରିଣତ କରାଇବ।”
ଉଚ୍ଚ ଆୟକାରୀ ପରିବାର ସଂଖ୍ୟା ବଢ଼ିଲେ, ସ୍ୱଭାବିକ ଭାବେ ନିମ୍ନଆୟକାରୀଙ୍କ ସଂଖ୍ୟା କମିଯିବ। ଗବେଷଣା ରିପୋର୍ଟ ଅନୁସାରେ,୨୦୧୮ରେ ନିମ୍ନ ଆୟକାରୀ ପରିବାରଙ୍କ ସଂଖ୍ୟା ୪୩ ପ୍ରତିଶତରୁ ୨୦୩୦ ସୁଦ୍ଧା ମାତ୍ର ୧୫ ପ୍ରତିଶତକୁ ଖସି ଆସିବ। ଫଳରେ ଇନକମ ଡିଷ୍ଟ୍ରିବ୍ୟୁସନ(ଆୟ ବଣ୍ଟନ)ରେ ଏକ ବଡ଼ ପରିବର୍ତ୍ତନ ହେବ।
ମଜଭୁତ ପାରିବାରିକ ବାଲାନ୍ସ ସିଟ୍ ସହଯୋଗରେ ମୁଣ୍ଡ ପିଛା ଆୟ ମାମଲାରେ ଭାରତ ସବୁଠାରୁ ଦ୍ରୁତ ପ୍ରଗତିଶୀଳ ରାଷ୍ଟ୍ର ଭାବେ ଅଗ୍ରସର ହେଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଜିଡିପି ପ୍ରତିଶତ ହାରରେ ଭାରତର ଘରୋଇ ଋଣ ଅନ୍ୟ ପଡ଼ୋଶୀ ଏସୀୟ ଦେଶଙ୍କ ତୁଳନାରେ ଯଥେଷ୍ଟ କମ୍ ରହିଛି। ଏହା ଦେଶର ଆୟର ଅଭିବୃଦ୍ଧି ଏବଂ ଆର୍ଥିକ ସ୍ୱଚ୍ଛଳତାକୁ ପ୍ରତିଫଳିତ କରୁଛି।
ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏହାର ଯୁବ ଜନସଂଖ୍ୟା ସ୍ଥିତି। ବର୍ତ୍ତମାନ ଦେଶର ହାରାହାରି ବୟସ ୨୯ ବର୍ଷ। ତେଣୁ କାର୍ମିକଙ୍କ ସଂଖ୍ୟା ବଢୁଥିବାରୁ ନିର୍ଭରଶୀଳତା ହ୍ରାସ ପାଉଛି। ଫଳରେ ଭାରତ ବିଶ୍ୱର ସବୁଠାରୁ କମ ନିର୍ଭରଶୀଳ ଦେଶ ହୋଇପାରିଛି। ହେଲେ ଚୀନ ଓ ୟୁରୋପରେ ନିର୍ଭଶୀଳତା ଅନୁପାତ ବଢୁଥିବାରୁ ସେହି ଅଞ୍ଚଳଗୁଡ଼ିକରେ ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଜେଲ ୱାନ ୱେଲ୍ଥ କହିଛି।
ସେହିପରି ଆୟ ବୃଦ୍ଧି ଓ ଏହାର ଖର୍ଚ୍ଚର ଶୈଳୀକୁ ମଧ୍ୟ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ଅନୁସାରେ ଦେଶର ଜନସଂଖ୍ୟା ଠାରୁ ପରିବାର ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନୁଚିତ ଖର୍ଚ୍ଚ କମ ହୋଇ ଉଚିତ ଖର୍ଚ୍ଚ ହେଉଛି। ଫଳରେ ଦେଶ ଏକ ଉନ୍ନତ ଖର୍ଚ୍ଚ ଶୈଳୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏହା ଭାରତୀୟ ପରିବାରିକ ସମୃଦ୍ଧିକୁ ମଧ୍ୟ ଦର୍ଶାଉଛି। ସେହିଭଳି ଟ୍ୟାକ୍ସ ଆଦାୟ କଥା ବିଚାର କଲେ ୨୦୨୧ ଠାରୁ ଭାରତରେ ବ୍ୟକ୍ତିଗତ ଆୟକର କର୍ପୋରେଟ କର ଠାରୁ ଅଧିକ ରହିଛି। ଯାହା ଦେଶର ଅର୍ଥନୀତିରେ ନାଗରିକଙ୍କର ବ୍ୟକ୍ତିଗତ ଯୋଗାଦନକୁ ଦର୍ଶାଉଛି।
ଦେଶର ଦ୍ରୁତ ଆୟ ଅଭିବୃଦ୍ଧି, ସ୍ୱଳ୍ପ ଘରୋଇ ଋଣ ଏବଂ ଯୁବ କର୍ମଜୀବୀଙ୍କ ଅଦ୍ୱିତୀୟ ସ୍ଥିତି ଭାରତକୁ ଏ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବରେ ସ୍ଥାନିତ କରିଛି। ଯାହା ଆଗାମୀ ଦଶନ୍ଧି ମଧ୍ୟରେ କେବଳ ଘରୋଇ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅଭିବୃଦ୍ଧି କରିବ ବୋଲି ଆଞ୍ଜେଲ ୱାନ ୱେଲ୍ଥ କହିଛି।