ପର୍ଥ ଟେଷ୍ଟରୁ ରୋହିତ୍ ଆଉଟ୍... ଅଷ୍ଟ୍ରେଲିଆରେ କିଏ ସମ୍ଭାଳିବେ ଦଳର ମଙ୍ଗ ? ଜାଣନ୍ତୁ ଚୂଡ଼ାନ୍ତ ଏକାଦଶ

Published By : Prameya-News7 Bureau | November 12, 2024 IST

ମୁମ୍ବାଇ: ଘରୋଇରେ ନ୍ୟୁଜିଲାଣ୍ଡ ଠାରୁ ସିରିଜ୍ କ୍ଲିନ୍ ସୁଇପ୍‌ରେ ହାରିବା ପରେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଦଳ । ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହେଲେ ଦଳ ସିଧାସଖଳ ଫାଇନାଲରେ ପ୍ରବେଶ କରିବ । ହେଲେ ସିରିଜ୍ ଆରମ୍ଭରୁ ଭାରତ ପାଇଁ ମୁସ୍କିଲ୍ ବଢ଼ିଛି । ପ୍ରଥମ ମ୍ୟାଚ୍ ଅର୍ଥାତ୍ ପର୍ଥ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ରୋହିତ୍ ଶର୍ମା । ଏନେଇ ଭାରତୀୟ ଦଳର ହେଡ୍ କୋଚ୍ ଆଶିଂକ ସୂଚନା ଦେଇଛନ୍ତି । ମ୍ୟାଚ୍ ପୂର୍ବରୁ ରୋହିତ୍ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରାଯିବ ବୋଲି ଗୌତମ ଗମ୍ଭୀର କହିଛନ୍ତି । ରୋହିତ୍ ଶର୍ମା ପ୍ରଥମ ମ୍ୟାଚରେ ଉପଲବ୍ଧ ନହେଲେ ତାଙ୍କ ସ୍ଥାନରେ ଯଶପ୍ରୀତ୍ ବୁମରା ଦଳର ମଙ୍ଗ ସମ୍ଭାଳିବେ । 

ବର୍ଡର-ଗାଭାସ୍କାର ଟ୍ରଫି ପାଇଁ ଭାରତୀୟ ଦଳ ପ୍ରଥମ ବ୍ୟାଚ୍ ଅଷ୍ଟ୍ରେଲିଆ ପହଞ୍ଚି ସାରିଛନ୍ତି । ମାତ୍ର ଅଧିନାୟକ ରୋହିତ୍ ଶର୍ମା ଏଯାଏଁ ପହଞ୍ଚିନାହାନ୍ତି । ଯଦି ରୋହିତ୍ ଅନୁପସ୍ଥିତ ରହୁନ୍ତି, ତେବେ ଓପନିଂ ଭାର କିଏ ସମ୍ଭାଳିବେ ବୋଲି ହେଡ୍ କୋଚଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ଗୌତମ ଗମ୍ଭୀର ସ୍ପଷ୍ଟ ଭାବେ ଉତ୍ତର ଦେଇଥିଲେ । ରୋହିତ୍ ଉପଲବ୍ଧ ନରହିଲେ ତାଙ୍କ ସ୍ଥାନରେ କେ.ଏଲ ରାହୁଲ ଏବଂ ଅଭିମନ୍ୟୁ ଈଶ୍ବରଣଙ୍କ ମଧ୍ୟରୁ ଜଣେ ଓପନିଂ ବିକଳ୍ପ ହେବେ । ମାତ୍ର ଚୂଡ଼ାନ୍ତ ଏକାଦଶ ନେଇ ସେ କୌଣସି ସୂଚନା ଦେଇନାହାନ୍ତି । 

ଲୋକେଶ୍ ରାହୁଲଙ୍କୁ ନେଇ ହେଡ୍ କୋଚ୍ ଗୌତମ ଗମ୍ଭୀର କହିଛନ୍ତି, ସେ ଓପନିଂ କରିପାରିବେ, ଫାଷ୍ଟ୍ ଡାଉନ ଏବଂ ୬ ନମ୍ବରରେ ବ୍ୟାଟିଂ କରିପାରିବେ ।  ନଭେମ୍ବର ୨୦ ତାରିଖରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ । ଏନେଇ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ....     

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.