ଭାରତ ଓ ବାଂଲାଦେଶ ତୃତୀୟ ଟି-୨୦; କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 12, 2024 IST

ହାଇଦ୍ରାବାଦ: ଭାରତ ଓ ବାଂଲାଦେଶ ଅନ୍ତିମ ଟି-୨୦ । ସଂଧ୍ୟାରେ ହାଇଦ୍ରାବାଦରେ ଖେଳାଯିବ ମ୍ୟାଚ୍ । ତୃତୀୟ ମ୍ୟାଚକୁ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ୨ଟି ମ୍ୟାଚ ଜିତି ଭାରତ ପୂର୍ବରୁ ସିରିଜ କବଜା କରିସାରିଛି । ଆଜିର ମ୍ୟାଚ୍ ଜିତି ଶୃଙ୍ଖଳା ମୂଳପୋଛ କରିବାକୁ ପ୍ରୟାସ କରିବ ସୂର୍ଯ୍ୟାବାହିନୀ । ସେପଟେ ଭ୍ରମଣକାରୀ ବାଂଲାଦେଶ ଅନ୍ତିମ ଟି-୨୦କୁ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ । 

ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା । ପ୍ରଥମ ମ୍ୟାଚ୍‌ରେ ବୋଲର ଓ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ମାତ୍ର ବାଂଲାଦେଶ ଦଳ ସବୁ ବିଭାଗରେ ଫେଲ୍ ମାରିଥିଲା । ଆଜିର ମ୍ୟାଚରେ ମଧ୍ୟ ଭାରତର ରାଜୁତି ଦେଖିବାକୁ ମିଳିବ । ଘରୋଇ ଦଳକୁ ହରାଇବା ଭଳି ଦକ୍ଷତା ବାଂଲାଦେଶ ଦଳ ନିକଟରେ ନଥିବା ପ୍ରମାଣିତ ହୋଇ ସାରିଛି । ପ୍ରଥମ ୨ଟି ମ୍ୟାଚ୍‌ ଖେଳିପାରି ନଥିବା ପ୍ଲେୟାରଙ୍କୁ ଅନ୍ତିମ ଟି-୨୦ରେ ସୁଯୋଗ ମିଳିପାରେ । ରବି ବିଷ୍ଣୋଇ, ତିଳକ ବର୍ମା, ଜିତେଶ ଶର୍ମା ଓ ହର୍ଷିତ ରାଣା ପ୍ରଥମ ୨ଟି ମ୍ୟାଚ୍‌ ଖେଳି ନଥିଲେ । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଏମାନଙ୍କୁ ସୁଯୋଗ ଦେଇପାରେ । ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରବି ବିଷ୍ଣୋଇ, ମୟଙ୍କ ଯାଦବ କିମ୍ବା ଅର୍ଶଦୀପ ସିଂହଙ୍କ ସ୍ଥାନରେ ହର୍ଷିତ, ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଓ ନୀତିଶଙ୍କ ସ୍ଥାନରେ ତିଳକଙ୍କୁ ଖେଳିବାକୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଓପନ କରିପାରନ୍ତି । 

ଏହି ସିରିଜ ଜରିଆରେ ନୀତିଶ କୁମାର ରେଡ୍ଡୀ ଓ ମୟଙ୍କ ଯାଦବଙ୍କ ଭଳି କିଛି ନୂଆ ତାରକାଙ୍କ ଆବିର୍ଭାବ ମଧ୍ୟ ଘଟିଛି । ନୀତିଶ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ୩୪ଟି ବଲ୍‌ରୁ ୭୪ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ଓ ବୋଲିଂ କରି ୨ଟି ୱିକେଟ୍‌ ନେଇଥିଲେ । ମୟଙ୍କ ଗତ ଆଇପିଏଲ୍‌ ଭଳି ଦ୍ରୁତ ବେଗରେ ବଲ୍‌ ପକାଇ ନଥିଲେ ମଧ୍ୟ ସଠିକ୍‌ ଲାଇନ ଓ ଲେନ୍‌ଥ ବଜାୟ ରଖି ଘାତକ ସାବ୍ୟସ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ଫିଟ୍‌ ରଖିବା ବିସିସିଆଇର ଦାୟିତ୍ୱ । 

ସେପଟେ ବାଂଲାଦେଶର ଷ୍ଟାର ବ୍ୟାଟର ମହମୁଦୁଲ୍ଲା ଆଜି କ୍ୟାରିୟର୍‌ର ଅନ୍ତିମ ଟି-ଟ୍ୱେଣ୍ଟି ଖେଳିବେ । ତେଣୁ ଦଳ ତାଙ୍କୁ ବିଜୟ ଭେଟି ଦେବାକୁ ପ୍ରୟାସ କରିବ । ଏଥିପାଇଁ ପ୍ରଥମେ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ହେବ । ବାକି ସ୍ପିନରମାନେ ଲୟ ଫେରି ପାଇଲେ ବାଂଲାଦେଶ ଟକ୍କର ଦେଇପାରିବ । ଏପଟେ ଅଭିଷେକ ଶର୍ମାଙ୍କ ଉପରେ ସମସ୍ତ ନଜର ରହିବ । କାରଣ ଦୁଇଟି ମ୍ୟାଚରେ ସେ ସେଭଳି କିଛି ଆଖିଦୃଶ୍ୟା ପ୍ରଦର୍ଶନ ଦେଖାଇନାହାନ୍ତି । ଗତ ଆଇପିଏଲ୍‌ରେ ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ଏହି ଗ୍ରାଉଣ୍ଡ୍‌ରେ ୨୪୯.୧୨ ଷ୍ଟ୍ରାଇକ ରେଟ୍‌ରେ ୨୮୪ ରନ୍‌ ସଂଗ୍ରହ କରିଥିଲେ । ସନରାଇଜର୍ସର ଘରୋଇ ଗ୍ରାଉଣ୍ଡ୍‌ରେ ଆଜିର ମ୍ୟାଚ୍ ଖେଳାଯିବ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ସ୍ପିନର ମାନେ ମଧ୍ୟ ପିଚ୍‌ର ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଅନ୍ୟପଟେ ହାଇଦ୍ରାବାଦ ମ୍ୟାଚରେ ବର୍ଷା ସମ୍ଭାବନା ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.