ନୂଆଦିଲ୍ଲୀ: ପ୍ରଥମ ଟି-୨୦ ପରି ଦ୍ଵିତୀୟ ଟି-୨୦କୁ ସହଜରେ ଜିତି ନେଇଛି ଭାରତୀୟ ଦଳ। ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଭ୍ରମଣକାରୀ ବାଂଲାଦେଶକୁ ୮୬ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ଓ୍ଵିକେଟ୍ ହରାଇ ୧୩୫ ରନ କରି ପାରିଛି। ଦଳ ପକ୍ଷରୁ ମହମୁଦୁଲ୍ଲା ୪୧ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟର ୨୦ ରନ ବି ଛୁଇଁ ପାରି ନାହାନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୀତିଶ ରେଡ୍ଡୀଙ୍କ ବିସ୍ଫୋରକ ୭୪ ରନ ଓ ରିଙ୍କୁ ସିଂଙ୍କ ୫୩ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା। ଏଥିସହ ଭାରତୀୟ ଦଳ ଘରୋଇ ମାଟିରେ ଲଗାତାର ସପ୍ତମ ଟି-୨୦ ସିରିଜ୍ ଜିତି ପାରିଛି।
୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ପ୍ରଥମ ୨ ଓଭରରେ ୨୦ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲା। ଏହା ପରେ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନ ଥିଲେ ବାଂଲାଦେଶ ବ୍ୟାଟର। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲେ। ମଧ୍ୟକ୍ରମରେ ମହମୁଦୁଲ୍ଲା ୪୧ ରନର ଇନିଂସ ଖେଳିବାରୁ ଦଳ ଅଲଆଉଟ୍ ହେବାରୁ ବର୍ତ୍ତିବା ସହ ୯ ଓ୍ଵିକେଟ୍ ହରାଇ ୧୩୫ ରନ କରି ପାରିଥିଲା। ପରଭେଜ ହୁସେନ ଇମୋନ ୧୬ ରନ, ମେହଦି ହସନ ମିରାଜ ୧୬ ରନ ଓ ଲିଟନ ଦାସ ୧୪ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ବ୍ୟାଟିଂ ସହ ବୋଲିଂରେ ବି କମାଲ କରିଥିଲେ। ସେ ୪ ଓଭରରେ ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୧୯ ରନ ଦେଇ ୨ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଅର୍ଶଦୀପ ସିଂ, ଓ୍ଵାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଭାରତୀୟ ଇନିଂସ
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଓପନର ସଞ୍ଜୁ ସାମସନ(୧୦) ଓ ଅଭିଷେକ ଶର୍ମା(୧୫)ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୮) ଆଜି ବିଫଳ ହୋଇଛନ୍ତି। ୪୧ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଦଳର ରନ ଗତି ଧିମେଇ ଯାଇଥିଲା। ତେବେ ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ବାଂଲା ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୧୦୮ ରନର ଶତକୀୟ ଇନିଂସ ଯୋଡ଼ିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।
ନୀତିଶ ୩୪ ବଲ୍ରୁ ୪ ଚୌକା ଓ ୭ ଛକା ଜରିଆରେ ୭୪ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହା ପରେ ରିଙ୍କୁ ସିଂ ୨୯ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୩ ରନ କରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରୁ ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତେବେ ଭାରତ ଶେଷ ଆଡ଼କୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଶେଷ ୨ ଓଭରରେ ୪ ଓ୍ଵିକେଟ୍ ହରାଇଥିଲା। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଛି।