୨୦୩୦ ସୁଦ୍ଧା ଡିଜିଟାଲ୍ କ୍ଷେତ୍ର ଭାରତର ଅର୍ଥନୀତିରେ ଯୋଡ଼ିବ ଅତିରିକ୍ତ ୯୦୦ ବିଲିୟନ ଡଲାର: ମୋତିଲାଲ୍ ଓସୱାଲ୍

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ସ୍ପେସ୍ ୨୦୩୦ ସୁଦ୍ଧା ଅତିରିକ୍ତ ୯୦୦ ଡଲାରର ଯୋଗଦାନ କରିବ । ମୋତିୱାଲ ଓଲୱାଲ୍ ଏକ ରିପୋର୍ଟରେ ଏହି ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ ଦେଶର ବର୍ତ୍ତମାନ ଡିଜିଟାଲ୍ କ୍ଷେତ୍ର ୦.୩ ଟ୍ରିଲିୟନ୍ ଆମେରିକୀୟ ଡଲାର ରହିଛି, ଯାହା ଜିଡିପିର ପ୍ରାୟ ୮ ପ୍ରତିଶତ । ତେବେ ୨୦୩୦ ସୁଦ୍ଧା ଏହା ଚାରି ଗୁଣା ବଢି ୧.୨ ଟ୍ରିଲିୟନ ଆମେରିକୀୟ ଡଲାର ହୋଇପାରେ । ଯାହା ଭାରତର ଜିଡିପିର ପ୍ରାୟ ୨୦ ପ୍ରତିଶତ ହେବ । ରିପୋର୍ଟରେ ଅନୁମାନ କରାଯାଇଛି ଯେ ଭାରତର ଜିଡିପି ୨୦୩୦ ସୁଦ୍ଧା ୧.୭ ଗୁଣା ବଢିବ । ଡିଜିଟାଲ୍ କ୍ଷେତ୍ର ଦ୍ରୁତ ବେଗରେ ବିସ୍ତାର ହେବା ସହ ବର୍ତ୍ତମାନଠାରୁ ୪ ଗୁଣା ବଡ଼ ହେବ ।

ରିପୋର୍ଟରେ ଡାଟା ଦେଇ କୁହାଯାଇଛି ଯେ ଦେଶରେ ସ୍ମାର୍ଟଫୋନ ୭୨.୩ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିଛି । ଯାହା ଲୋକଙ୍କ ମଧ୍ୟରେ ଡିଜିଟାଲ ଉପକରଣ ଏବଂ ସେବାର ପହଞ୍ଚକୁ ଦର୍ଶାଉଛି । ଏହାଛଡ଼ା ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚ ୫୨.୪ ପ୍ରତିଶତ ହୋଇଛି, ଯାହା ଡିଜିଟାଲ କ୍ଷେତ୍ରର ବିସ୍ତାରକୁ ଦର୍ଶାଉଛି ।

ଭାରତରେ ଡିଜିଟାଲ୍ ସେବା ବ୍ୟବହାର କରୁଥିବା ଅଧିକାଂଶ ଲୋକ ୟୁପିଆଇକୁ ବ୍ୟବହାର କରୁଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଦେଶରେ ୟୁପିଆଇ ୟୁଜର ବର୍ତ୍ତମାନ ପ୍ରାୟ ୨୫ ପ୍ରତିଶତ ରହିଛି । ଏହା ବ୍ୟତୀତ ରିପୋର୍ଟରେ କୁହାଯାଇଛି ଯେ ଗତ ଚାରି ବର୍ଷରେ ଭାରତରେ ସ୍ମାର୍ଟଫୋନ୍ ୟୁଜରଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣା ହୋଇଛି । ୨୦୨୦ରେ ଦେଶରେ ୪୮୫.୧ ମିଲିୟନ ସ୍ମାର୍ଟଫୋନ୍ ୟୁଜର ଥିଲେ, ଏହି ସଂଖ୍ୟା ୨୦୨୪ ଯାଏ ବଢି ୯୩୮.୩ ମିଲିୟନ ହୋଇଛି । ଏହା ଭାରତରେ ମୋବାଇଲ୍ କନେକ୍ଟିଭିଟିର ବଡ଼ ବୃଦ୍ଧିର ପ୍ରମାଣ ଦେଉଛି ।

ଡିଜିଟାଲ୍ ଅର୍ଥନୀତିର ବିକାଶରେ ଯୋଗଦାନ ଦେଉଥିବା ଅନ୍ୟ ଏକ କାରକ ହେଉଛି ଡାଟା ବ୍ୟବହାରରେ ବୃଦ୍ଧି । ୨୦୨୦ରେ ପ୍ରତି ବ୍ୟକ୍ତି ହାରାହାରି ମାସିକ ଡାଟା ବ୍ୟବହାର ୧୩.୫ ଜିବି ଥିଲା । ୨୦୨୪ ସୁଦ୍ଧା ଏହା ବଢି ୨୪.୧ ଜିବି ହୋଇଛି । ଏହା ଦୈନନ୍ଦିନ ଜୀବନରେ ଡିଜିଟାଲ୍ ସେବା ଏବଂ ଇଣ୍ଟରନେଟ୍ ଉପରେ ବଢୁଥିବା ନିର୍ଭରତାକୁ ଦର୍ଶାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.