ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ଗତ ୪ ବର୍ଷରେ ସବୁଠୁ କମ ଦେଖିବାକୁ ମିଳିପାରେ । ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ଗତ ଆର୍ଥିକ ବର୍ଷରେ ଜିଡିପି ୮.୨ ପ୍ରତିଶତ ଥିଲା । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ଅନୁମାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ପରେ ଏହା ସବୁଠୁ କମ ବାର୍ଷିକ ଜିଡିପି ବୃଦ୍ଧି ହେବ । ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ବର୍ଷ ୨୦୨୦-୨୧ ସମୟରେ ଦେଶରେ ଅଭିବୃଦ୍ଧି ହାର ନେଗେଟିଭରେ -୫.୮ ପ୍ରତିଶତ ରହିଥିଲା ।
ଏନ୍ଏସ୍ଓ ଚଳିତ ଆର୍ଥିକ ବର୍ଷ ପାଇଁ କରିଥିବା ଜିଡିପି ବୃଦ୍ଧି ଅନୁମାନ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମାନଠାରୁ କମ ରହିଛି । ଆରବିଆଇ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଛି ।
ଏହା ବ୍ୟତୀତ ଗ୍ରସ୍ ଭାଲ୍ୟୁ ଏଡେଡ୍ (ଜିଭିଏ)ର ଆନୁମାନିକ ବୃଦ୍ଧି ହାର ବି ୨୦୨୪-୨୫ରେ ହ୍ରାସ ପାଇ ୬.୪% ହୋଇଛି, ଯାହା ପୂର୍ବ ବର୍ଷ ୨୦୨୩-୨୪ରେ ୭.୨ ପ୍ରତିଶତ ରହିଥିଲା । ଜିଡିପି ପରି ଜିଭିଏ ବି ୨୦୨୦-୨୧ ଆର୍ଥିକ ବର୍ଷ ପରେ ସବୁଠୁ ନିମ୍ନ ସ୍ତରରେ ରହିଥିଲା । ଆଲୋଚ୍ୟ ବର୍ଷରେ ଜିଭିଏ -୪.୧ ପ୍ରତିଶତ । ନୋମିନାଲ ଜିଭିଏ ୧୬୮.୯୧ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଉଥିଲା, ଯାହା ଗତ ବର୍ଷ ୧୫୮.୭୪ ଲକ୍ଷ କୋଟି ଟଙ୍କା ଥିଲା । ଉଲ୍ଲେଖଯୋଗ୍ୟ ଯେ ଜିଭିଏରୁ କୌଣସି ଅର୍ଥନୀତିରେ ହେବାକୁ ଥିବା ମୋଟ ଉତ୍ପାଦ ଏବଂ ଆୟ ଜଣାପଡ଼ିଥାଏ ।
ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୫ରେ କୃଷି ଏବଂ ଏହା ସହ ଜଡ଼ିତ କ୍ଷେତ୍ରରେ ୩.୮ ପ୍ରତିଶତ ବୃଦ୍ଧି ହେବାର ଅନୁମାନ ରହିଛି । ସେହିପରି ବିନିର୍ମାଣ କ୍ଷେତ୍ରକୁ ଛାଡ଼ି ଆର୍ଥିକ, ରିୟଲ ଇଷ୍ଟେଟ୍ ଏବଂ ପ୍ରଫେସନାଲ ନୋମିନାଲ ଜିଭିଏ ଆର୍ଥିକ ବର୍ଷ ୨୦୨୫ରେ ଯଥାକ୍ରମେ ୮.୬ ପ୍ରତିଶତ ଏବଂ ୭.୩ ପ୍ରତିଶତ ବୃଦ୍ଧି ଅନୁମାନ କରାଯାଇଛି ।